ଉପାନ୍ତ ଅଭିଶପ୍ତ ଆଦିବାସୀ ଗାଁ ଜୁନିଆନ

0 81

ସୁନ୍ଦରଗଡ,୧/୧୦: ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ଅଂଚଳ ଭାବେ ପରିଚିତ ରାଜବାହାଲ ପଞ୍ଚାୟତ ଆଜି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବାବେଳେ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ପଞ୍ଚାୟତବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟୀ ତଥା ଉପାନ୍ତ ଅଞ୍ଚଳ ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଏହି ଅଞ୍ଚଳ ତଥାକଥିତ ସଭ୍ୟତାଠାରୁ ଆଜି ବହୁପଛରେ ପଡିଯାଇଛି । ଏହି ଗାଁ ସତେଯେମିତି ଓଡ଼ିଶା ମାନଚିତ୍ରରେ ତାର ନାଁ ଗନ୍ଧ ନାହିଁ । ମୋଟ ୧୬ ଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ ଏହି ରାଜବାହାଲ ପଞ୍ଚାୟତର ଚତୁର୍ଦ୍ଦିଗ ଘନ ଜଙ୍ଗଲ ଏବଂ ଦୁର୍ଗମ ପାହାଡ ଘାଟୀ ରହିଥିବା ବେଳେ ଏହା ଛତିଶଗଡ ସୀମାନ୍ତରେ ଅବସ୍ଥିତ । ଏହି ପଞ୍ଚାୟତର ‘ଜୁନିଆନି’ ଏକ ରାଜସ୍ୱ ଗ୍ରାମ ହୋଇଥିବା ସ୍ଥଳେ ସ୍ଥାନୀୟ ଜନସଂଖ୍ୟା ମାତ୍ର ୧୦୦ । ସେମାନେ ଶତପ୍ରତିଶତ ଆଦିବାସୀ ହୋଇଥିବା ବେଳେ ପ୍ରାୟ ଅଧିକାଂଶ ଅଶିକ୍ଷିତ । ସେମାନଙ୍କ ଜୀବନ ଜୀବିକା ଅତ୍ୟନ୍ତ ନିମ୍ନ ଓ ଦୟନୀୟ । ଗାଁ ର ଗମନାଗମନ ବ୍ୟବସ୍ଥା ମଧ୍ୟ ଅତି ଦୁର୍ଗମ । ଶିକ୍ଷା, ସ୍ୱାସ୍ଥ୍ୟ, ଆଲୋକ, ବିଶୁଦ୍ଧ ପାନୀୟଜଳର ସୁବିଧା, କୃଷି, ମୋବାଇଲ ଟାୱାର ଏବଂ ଜଳସେଚନ ଏହିପରି ପ୍ରତ୍ୟେକ କ୍ଷେତ୍ରରେ ଏ ଅଞ୍ଚଳ ଅବହେଳିତ ରହିଛି । ଜଙ୍ଗଲଜାତ ଦ୍ରବ୍ୟ ଓ ଅଣଜଳସେଚିତ କୃଷି ଉପରେ ନିର୍ଭରକରି ଚଳନ୍ତି ଗ୍ରାମବାସୀ । ତେବେ ସେମାନଙ୍କ ଜୀବିକାର ମୁଖ୍ୟ ସ୍ରୋତ ଜମି ଟିକକ ମଧ୍ୟ କେତେକ ଜମି ମାଫିଆ ଲୁଟି ନେଇଥିବାରୁ ଗ୍ରାମବାସୀମାନେ ଏବେ ଘୋର ଚିନ୍ତାରେ । ଏହି ଗାଁ ରେ୨୦ ରୁ ଉର୍ଦ୍ଧ୍ୱ କୁନି ପିଲା ଛୁଆ ଅଛନ୍ତି ହେଲେ ଗାଁ ରେ ଅଙ୍ଗନୱାଡ଼ି କେନ୍ଦ୍ରଟିଏ ନାହିଁ ,୫ କିମି ଦୂରରେ ବିଲେଇ ବାହାଲ ଯାହାକି ଦୁଇ କିମି ପାହାଡ ପଥୁରିଆ ରାସ୍ତା ଦେଇ ଚାଲି ଯିବା ଭୟରେ କେହି ଅଙ୍ଗନୱାଡ଼ି ନ ଯାଇ ଗାଁରେ ବୁଲି ସମୟ ନଷ୍ଟ କରୁଛନ୍ତି । ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟଜଳ ପରି ଅନେକ ସମସ୍ୟାରେ ଜର୍ଜରିତ ଏହି ଗ୍ରାମବାସୀ ଅନେକଥର ନେତା ମନ୍ତ୍ରୀଙ୍କ ଠାରୁ ଜିଲ୍ଲା ପ୍ରଶାସନକୁ ଗୁହାରି ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇନଥିଲେ । ଅନ୍ୟପଟେ ଦେଖିବାକୁ ଗଲେ ଏହି ଅଧିବାସୀଙ୍କୁ ତାଙ୍କ ସରଳତାର ସୁଯୋଗ ନେଇ କେତେକ ଅସାଧୁ ଗୋଷ୍ଠୀ ଗ୍ରାମର ମୋଟ ଜମିରୁ ୪୩ ଏକର ଜମି ଦଲାଲଙ୍କ କବଜା ରେ ଚାଲିଯାଇଥିବା ବେଳେ ସେମାନେ ଏହାର ପ୍ରତିବାଦରେ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ତହସିଲଦାର, ସାଂସଦ, ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଥିଲେବି କୌଣସି ସୁଫଳ ପାଇନଥିଲେ । ଏହି ନିରୀହ ଆଦିବାସୀ ପ୍ରଥମତଃ ସରକାରଙ୍କ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଅନ୍ୟପଟେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ଅନେକାଂଶ ଜମି ହାତେଇ ନେଇଥିବା ଯୋଗୁଁ ମାନସିକ ଚିନ୍ତାରେ କାଳ କାଟୁଥିବା ବେଳେ ସରକାରୀ ପଦକ୍ଷେପକୁ ଅପେକ୍ଷା କରି ଚାହିଁ ବସିଛନ୍ତି । ତେବେ ଉପାନ୍ତ ଅଞ୍ଚଳର ଏହି ଜୁନିଆନି ଗାଁ ଲୋକଙ୍କୁ ସରକାରୀ ମୌଳିକ ସୁବିଧା ଯୋଗାଇବା ସହ ଏହି ଆଦିବାସୀଙ୍କ ଜୀବନ ଜୀବିକା ସାଙ୍ଗକୁ ପ୍ରାକୃତିକ ପ୍ରାଚୂର୍ଯ୍ୟର ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟଲୋକେ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two + 18 =