ନବରଙ୍ଗପୁର ୨୭।୧୧ : ଓଡିଶାରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ରାଜ୍ୟ ବ୍ୟାପି ବ୍ୟାପକ ଜନସଚେତନ କରିବା ଉଦେଶ୍ୟରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତରଫରୁ ବାହାରିଥିବା ଏକ ସଚେତନତା ରଥ ଆଜି ସକାଳେ ନବରଙ୍ଗପୁର ସହରରେ ପହଁଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ କାର୍ଯ୍ୟଳୟଠାରେ ଆନୁଷ୍ଠାନିକ ଭାବରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ପରେ ପରେ ନବରଙ୍ଗପୁର ଆଇସିଡିଏସ ପ୍ରକଳ୍ପର ସମସ୍ତ ସୁପରଭାଇଜର, ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ମାନେ ହୁଳହୁଳି, ପୁଷ୍ପଗୁଚ୍ଛ ଓ ଚନ୍ଦନ ଟୀକା ଲଗାଇ ସଚେତନ ରଥକୁ ସ୍ଵାଗତ କରିଥିଲେ । ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ ଓ ଶ୍ରମ ନୁହଁ-ଶିକ୍ଷାର ବାର୍ତ୍ତା ନେଇ ସଚେତନ କରୁଥିବା ଏହି ରଥଟିକୁ ପରେ ନବରଙ୍ଗପୁର ସହରରେ ଥିବା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟର ଛାତ୍ରୀ ମାନେ ସ୍ଵାଗତ କରିବା ପରେ ସେଠାରେ ଏକ ସାଧାରଣ ସଭା କରାଯାଇ ବାଳିକାମାନଙ୍କୁ ଶିଶୁ ଅଧିକାରର ବିଭିନ୍ନ ଦିଗ ସହିତ ବାଳିକା ଶିକ୍ଷାର ଗୁରୁତ୍ଵ ଓ ବାଲ୍ୟ ବିବାହର କୁପରିଣାମ, ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଯତ୍ନକୁ ସୁନିଶ୍ଚିତ କରିବା ଉପରେ ବକ୍ତାମାନେ ବୁଝାଇବା ସହିତ ବାଲ୍ୟ ବିବାହକୁ ବିରୋଧ କରି ନିୟମିତ ବିଦ୍ୟାଳୟକୁ ଯାଇ ପାଠ ପଢିବା ଉପରେ ସାମୁହିକ ଭାବରେ ଶପଥ କରାଇଥିଲେ । ପରେ ସଚେତନତା ରଥଟି ନବରଙ୍ଗପୁର ବ୍ଲକର ତାରଗାଁ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ, ପାପଡାହାଣ୍ଡି ବ୍ଲକର ଦଳେଇ ଗୁଡା ଆଶ୍ରମ ବିଦ୍ୟାଳୟ, ମଇଦଳପୁର କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ, ଚାଉରିଆ ଗୁଡା ଓ ଖଲିଆଗୁଡା ଗ୍ରାମ ଏବଂ ଡାବୁଗାଁ ବ୍ଲକର ଆଶ୍ରମ ବିଦ୍ୟାଳୟ ଠାରେ ପହଁଞ୍ଚିବା ସହିତ ସେଠାରେ ସାଧାରଣ ସଭା କରାଇ ଶିଶୁମାନଙ୍କର ଅଧିକାର ଓ ବାଲ୍ୟ ବିବାହକୁ ନା, ବିଦ୍ୟାଳୟକୁ ହଁ ତଥା ଶ୍ରମ ନୁହଁ ଶିକ୍ଷାର ବିଭିନ୍ନ ଦିଗ ଉପରେ ବକ୍ତାମାନେ ବୁଝାଇ ସହିତ ବାଲ୍ୟ ବିବାହକୁ ସାମୁହିକ ଭାବରେ ବିରୋଧ କରିବା ଓ ସମସ୍ତ ବାଳକ ବାଳିକା ବିଦ୍ୟାଳୟକୁ ନିୟମିତ ଯାଇ ପାଠ ଉପରେ ସାମୁହିକ ଭାବରେ ଶପଥ କରାଇଥିଲେ । ଏହି ଅବସରରେ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ସହାୟକ ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ, ସିଡିପିଓ ସରୋଜିନୀ ରଥ, ଏସ ଗୀତା, ଯମୁନା ଭତ୍ରା, ଆକ୍ସନଏଡ ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ, ଲିଗାଲ ପ୍ରୋବେସନ ଅଫିସର କିଶୋର ମାର୍ଥା, ଅନୁଷ୍ଠାନ ଯତ୍ନ ଅଧିକାରୀ କୁନିମଣି ସ୍ଵାଇଁ, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ, ସୁପର ଭାଇଜର, ସସ୍ମିତା ମହାନ୍ତି ବିନୀତା ଜେଠି, କାଞ୍ଚନ ପଣ୍ଡା, ରଶ୍ମୀ ପ୍ରଭା ପାଣିଗ୍ରାହୀ, ସୁଶ୍ରୀରେଖା ତ୍ରିପାଠୀ, ଶ୍ରୀଲତା ବାରିକ ପ୍ରମୁଖ ବକ୍ତାମାନେ ଶିଶୁମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଥିବା ଆଇନର ବିଭିନ୍ନ ଦିଗ ଉପରେ ପଥପ୍ରାନ୍ତ ସଭାଗୁଡିକରେ ଆଲୋଚନା କରିଥିଲେ।