କରୋନା ମୁକାବିଲା: ଜିଲ୍ଲାରେ ୧୨୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର

0 635

ସୋନପୁର : କରୋନା ମୁକାବିଲା ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଲକଡାଉନ୍ ପ୍ରକ୍ରିୟା ଚାଲୁ ରହିଛି । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅନେକ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଜିଲ୍ଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଯଦି ଆବଶ୍ୟକ ପଡେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନ ନରଖି ସମସ୍ତ ପଞ୍ଚାୟତ ଅଂଚଳରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରମାନଙ୍କରେ ୧୪ଦିନ ପର୍ଯ୍ୟନ୍ତ ରଖାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି କ୍ରମରେ ଜିଲ୍ଲାର ସମସ୍ତ ୬ଟି ବ୍ଲକରେ ମୋଟ ୧୨୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିବା ବେଳଏ ସହରାଞ୍ଚଳରେ ୧୩ଟି ସ୍ଥାନରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହିକ୍ରମରେ କରୋନାର ମୁକାବିଲା ପାଇଁ ବିନିକା ବ୍ଲକରେ ୧୬ଟି, ବୀରମହାରାଜପୁରରେ ୧୭, ଡୁଙ୍ଗୁରିପାଲିରେ ୨୬, ସୋନପୁର ବ୍ଲକରେ ୨୧, ତରଭା ବ୍ଲକରେ ୨୧ ଓ ଉଲୁଣ୍ଡା ବ୍ଲକରେ ୨୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି । ଏହାବ୍ୟତୀତ ବିନିକା ବିଜ୍ଞାପିତ ପରିଷଦ ଅଂଚଳରେ ବିଭିନ୍ନକଲ୍ୟାଣ ମଣ୍ଡପ ଓ ବାତ୍ୟାଆଶ୍ରୟସ୍ଥଳିରେ ଖୋଲାଯାଇଛି । ସେହିପରି ତରଫା ଓ ସୋନପୁର ସହରରେ ମଧ୍ୟ ବିଭିନ୍ନ କଲ୍ୟାଣ ମଣ୍ଡପ, ବନ୍ୟା ଆଶ୍ରୟସ୍ଥଳୀ, ସଂସ୍କୃତିଭବନ ଇତ୍ୟାଦିମାନଙ୍କରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନ ଖୋଲାଯାଇଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତ ଶିବିରର କାମ ସଂପୂର୍ଣ୍ଣ ହୋଇନଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ସମସ୍ତ ଅସ୍ଥାୟୀ ଶିବିର କାର୍ଯ୍ୟକ୍ଷମ ହୋଇଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ । ଅପରପକ୍ଷରେ ଜିଲ୍ଲାର ବିଭିନ୍ନ ପ୍ରବେଶ ପଥରେ ଜିଲ୍ଲାବାହାରୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ନ ନଜର ରଖାଯାଇ ସମସ୍ତ ପ୍ରବେଶ ପଥରେ ୮ଟି ସ୍ଥାନରେ ଚେକପୋଷ୍ଟମାନ କରି ପୁଲିସ ପକ୍ଷରୁ ବ୍ୟାପକ ଖାନତଲାସି କରାଯାଇ ୨୪ ଘଣ୍ଟିଆ ପୁଲିସ ପେଟ୍ରୋଲିଂ ଚାଲୁ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡିମାନଙ୍କୁ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପରେ ଯିବାକୁ ଅନୁମତି ଦିଆଯାଉଥିବା ବେଳେ କୌଣସି କାମ ନଥାଇ ନିୟମ ଉଲ୍ଲଂଘନ କରୁଥିବା ୧୪ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି । ସୋନପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାଶ ଜିଲ୍ଲାର ବିଭିନ୍ନ ଅଂଚଳକୁ ଗସ୍ତ କରି ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖୁଥିବା ସହ ଡୁଙ୍ଗୁରୀପାଲି ଥାନା ଅଂଚଳ ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଲୋକେ ମଧ୍ୟ ଗ୍ରାମାଞ୍ଚଳରେ ସ୍ୱତଃ ସଚେତନତା କାର୍ଯ୍ୟକ୍ରମ ଚଳାଇଥିବା ବେଳେ ନିଜନିଜ ଅଂଚଳରୁ ବାହ୍ୟ ପ୍ରବେଶ ଉପରେ ସତର୍କତା ଅବଲମ୍ବନ କରୁଥିବା ଜଣାଯାଇଛି

hiranchal ad1
Leave A Reply

Your email address will not be published.

eighteen − 3 =