ବୌଦ୍ଧ,୧୦/୮ – ବୌଦ୍ଧ ବ୍ଲକ୍ ଗୋଛାପଡା ଗ୍ରାମ ପଂଚାୟତର ଉଡବିଲିକା ଗ୍ରାମର ଜନସାଧାରଣ ତାଙ୍କ ଗ୍ରାମର ଚାରିଗୋଟି ପଥର ଖଣି ନିଲାମ ପ୍ରକ୍ରିୟାକୁ ବାତିଲ ଦାବିରେ ଆଜି ବୌଦ୍ଧ ତହସିଲ୍ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ଗ୍ରାମ ପାହାଡକୁ ଗଛ ଲଗାଇ ଗ୍ରାମବାସୀ ସବୁଜିମା ସୃଷ୍ଟି କରିଥିବା ବେଳେ ସେ ସ୍ଥାନରୁ ପଥର ଉତ୍ତୋଳନ କଲେ ପରିବେଶ ନଷ୍ଟ ହେବା ସହ ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗ କରୁଥିବା ଉଡବିଲକା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଗ୍ରାମବାସୀ ଚାରିଗୋଟି ପଥର ଖାଦାନ ନିଲାମକୁ ବିରୋଧ କରିଥିଲେ । ଚଳିତ ବର୍ଷ ପୁଣି ଚାରୋଟି ପଥର ଖଣିକୁ ନିଲାମ ପାଇଁ ବୌଦ୍ଧ ତହସିଲ୍ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଯୋଗୁଁ ଆଜି ଉତ୍ୟକ୍ତ ଗ୍ରାମବାସୀ ବୌଦ୍ଧ ଆସି ତହସିଲ୍ ଅଫିସ ଘେରାଓ କରିଥିଲେ । ସେମାନେ ଗ୍ରାମର ସମସ୍ତ ଖଣିର ନିଲାମ ନବୀକରଣ ପ୍ରକ୍ରିୟା ବାତିଲ୍ କରିବାକୁ ଅନୁରୋଧ କରି ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଦାବିପତ୍ର ପ୍ରଦାନ ସମୟରେ ଗୋଚ୍ଛାପଡା ସରପଞ୍ଚ ଶ୍ରୀ ବାଦୀ, ୱାର୍ଡମେମ୍ବର ରଘୁନାଥ ମହାନନ୍ଦିଆ, ତ୍ରିନାଥ ବାଦୀ, ହରିପ୍ରିୟା ଉର୍ମା, ପୂଜା ବାଦୀ, ପର୍ଶୁରାମ ମେହେରଙ୍କ ସମେତ ଉଡବିଲକା ଗ୍ରାମର ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।