ଆବର୍ଜନା ଗାଡ଼ିରେ ଓଡ଼ିଆ ମହିଳାଙ୍କ ଶବବୁହା ଘଟଣା: ତାମିଲନାଡୁ ସରକାରଙ୍କୁ ଏନ୍‌ଏଚ୍‌ଆରସି ନୋଟିସ୍‌

0 59

ନୂଆଦିଲ୍ଲୀ : ନିକଟରେ ତାମିଲନାଡୁରେ ଜଣେ ଓଡ଼ିଆ ମହିଳାଙ୍କ ମୃତ ଦେହକୁ ଆବର୍ଜନା ବୁହା ଟ୍ରକରେ ବୁହାଯାଇଥିଲା । ଏହା ଏକ ମାନବିକ ଅଧିକାର ଉଲ୍ଲଙ୍ଘନ ବୋଲି ଦର୍ଶାଇ ସୁପ୍ରିମ୍‌କୋର୍ଟ ଓକିଲ ତଥା ମାନବିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବିକ ଅଧିକାର କମିଶନ (ଏନ୍‌ଏଚ୍‌ଆରସି)ଙ୍କ ନିକଟରେ ନ୍ୟାୟ ପାଇଁ ଆବେଦନପତ୍ର ଦାଖଲ କରିଥିଲେ । କମିଶନ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତାମିଲନାଡୁ ସରକାରଙ୍କୁ ନୋଟିସ୍‌ ଜାରି କରିଥିଲେ । ସମ୍ପୃକ୍ତ ମହିଳାଙ୍କ ସଦସ୍ୟଙ୍କୁ ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଥିବାର ପ୍ରମାଣ ସହ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କୁ କୁହାଯାଇଛି । ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ରାମନାଥପୁରମ୍‌ର ଜିଲ୍ଲାପାଳଙ୍କୁ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଯେଉଁ ମହିଳାଙ୍କ ମୃତଦେହ ଆବର୍ଜନା ଗାଡ଼ିରେ ବୁହାଯାଇଥିଲା ତାଙ୍କ ନାମ ରମାମଣି ସ୍ୱାଇଁ । ଶ୍ରୀ ତ୍ରିପାଠୀ ଅଭିଯୋଗ କରିଥିଲେ ଯେ, ଶବ ବୋହିବାକୁ ଉପଯୁକ୍ତ ଗାଡି ବ୍ୟବସ୍ଥା ନ କରି ରାମେଶ୍ୱରମ୍‌ ମ୍ୟୁନିସ୍‌ପାଲିଟିର କର୍ମଚାରୀମାନେ ରମାମଣିଙ୍କ ଶବକୁ ଡାକ୍ତରଖାନାରୁ ଆବର୍ଜନା ବୁହା ଟ୍ରକ୍‌ରେ ନେଇଥିଲେ । ଏହା ମୃତ୍ୟୁ ପରେ ମାନବିକ ଅଧିକାରର ଉଲ୍ଲଂଘନ ବୋଲି ସେ ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ରାମେଶ୍ୱରମ୍‌ ଟାଉନ୍‌ ଥାନାରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା । ସେ ସମୟରେ ଶବ ନେବା ପାଇଁ ଗାଡି ମିଳି ନ ଥିଲା ଓ ଜରୁରୀ ପରିସ୍ଥିତିକୁ ବିଚାର କରି ଟ୍ରକ୍‌ରେ ଶବ ନିଆଯାଇଥିବା କଥା ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷ କହିଥିଲେ । ଏଥିପାଇଁ ମୃତା ସରସ୍ୱତୀଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ, ଏ ପର୍ଯ୍ୟନ୍ତ ସେ ଅର୍ଥ ମିଳି ନାହିଁ । ରମାମଣି ହେଉଛନ୍ତି ଓଡିଶା ଅଧିବାସୀ ମିନକେତନ ସ୍ୱାଇଁଙ୍କ ପତ୍ନୀ ଏବଂ ୨୦୧୮ ମସିହା ଫେବ୍ରୁଆରୀ ୧୫ ତାରିଖ ସକାଳ ପ୍ରାୟ ୭. ୪୫ରେ ରାମେଶ୍ୱରମର ଅଗ୍ନିତୀର୍ଥମ୍‌ ପାଖ ଅୟୋତି କୁଟୀର ନିକଟରେ ଦୁର୍ଘଟଣା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା ।

hiranchal ad1
Leave A Reply

Your email address will not be published.

fourteen + 15 =