ନୂଆଦିଲ୍ଲୀ : ଖେଳକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ଓ କ୍ୟାପଟେନ କୁଲ ଭାବେ ବିବେଚିତ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ନେବାପରେ ତାଙ୍କର ୭ ନମ୍ବର ଜର୍ସିକୁ ରିଟାୟାର କରିବା ସହ ତାଙ୍କ ପାଇଁ ଫେୟାରୱେଲ ମ୍ୟାଚ ଆୟୋଜନ କରିବାକୁ ଦାବି ହୋଇଛି । ମଧ୍ୟ ପ୍ରଦେଶ କଂଗ୍ରେସ ବିଧାୟକ ଏବଂ ପ୍ରଦେଶ ପୂର୍ବତନ ମନ୍ତ୍ରୀ ପିସି ଶର୍ମା ରବିବାର ଦିନ ଧୋନିଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି । ଧୋନିଙ୍କୁ ତାଙ୍କର ଉପଲବ୍ଧି ପାଇଁ ଭାରତ ରତ୍ନ ଦିଆଯିବା ଉଚିତ ବୋଲି ସେ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି । ଧୋନି ସନ୍ୟାସ ନେବାର ଦିନେ ପରେ ପିସି ଶର୍ମା ତାଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି । ଭୋପାଳ ଦକ୍ଷିଣ-ପଶ୍ଚିମ ଆସନ ବିଧାୟକ ପିସି ଶର୍ମା ଟ୍ୱିଟ କରି କହିଛନ୍ତି, ଭିରତୀୟ କ୍ରିକେଟକୁ ସାରା ଦୁନିଆରେ ବିଜେତା ଭାବେ ସ୍ଥାପିତ କରିଥିବା ଦେଶର ରତ୍ନ ମହାନ କ୍ୟାପଟେନ ଧୋନିଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ ଉଚିତ । ପିସି ଶର୍ମା କହିଛନ୍ତି, ଧୋନି କ୍ରୀଡା ଜଗତର ଭାରତ ରତ୍ନ । ସେ କ୍ରିକେଟରେ ଦେଶର ନାଁ ରଖିଛନ୍ତି । ସେ ଦେଶର ଗୌରବ । ସେଥିପାଇଁ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ ଉଚିତ । ଭାରତ ରତ୍ନ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ । ଏହା ରାଷ୍ଟ୍ରୀୟ ସେବା କ୍ଷେତ୍ରରେ ପ୍ରଦାନ କରାଯାଏ । ଏହି ସେବାରେ କଳା, ସାହିତ୍ୟ, ବିଜ୍ଞାନ, ସାର୍ବଜନିକ ସେବା, ଖେଳ ସାମିଲ ରହିଛି । ଧୋନି ଦୁନିଆର ଏକମାତ୍ର କ୍ୟାପଟେନ ଯିଏ ୩ଟି ଆଇସିସି ଜିତିଛନ୍ତି । ଏଥିରେ ୨୦୦୭ ଟି-୨୦ ବିଶ୍ୱକପ, ୨୦୧୧ ଏକ ଦିବସୀୟ ବିଶ୍ୱକପ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ସାମିଲ ଅଛି ।