ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଯୁକ୍ତଦୁଇ ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟା ଅନଲାଇନରେ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନେ ସାମ୍ସର ୱେବସାଇଟ୍ www.samsodisha.gov.in ୱେବସାଇଟକୁ ଯାଇ ଫର୍ମ ପୂରଣ କରିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସେପ୍ଟେମ୍ବର ୪ ତାରିଖ ଯାଏ ଚାଲିବ । ସେପ୍ଟେମ୍ବର ୯ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେଧା ତାଲିକା ନାମଲେଖା ପାଇଁ ପ୍ରକାଶ ପାଇବ । ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୧ରୁ ୧୮ ତାରିଖ ମଧ୍ୟରେ ପ୍ରଥମ ପସନ୍ଦ କଲେଜରେ ନାମ ଲେଖାଇବେ । ନଚେତ୍ ନାମଲେଖା ତାଲିକାରୁ ବାଦ୍ ପଡିବ । ସେହିପରି ସେପ୍ଟେମ୍ବର ୨୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା(ମେରିଟ ଲିଷ୍ଟ) ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟର ମେରିଟ ଲିଷ୍ଟର ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୨୪ରୁ ୨୮ ତାରିଖ ମଧ୍ୟରେ ଚୟନ ପାଇଁ ସିଲିଟ୍ ହୋଇଥିବା କଲେଜରେ ନାମ ଲେଖାଇବେ । ଦୁଇ ପର୍ଯ୍ୟାୟ ନାମଲେଖା ପରେ ଆସନ୍ତା ଅକ୍ଟୋବର ୧ ତାରିଖରେ ସ୍ପଟ୍ ସିଲେକ୍ସନ ପାଇଁ ନାମ ଲେଖା ତାଲିକା ବାହାରିବ । ଅକ୍ଟୋବର ୧ ତାରିଖରୁ ତିନି ତାରିଖ ମଧ୍ୟରେ ସ୍ପଟ୍ ଆଡମିଶନ ପାଇଁ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇବେ । ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କୁ କମନ ଅପ୍ଲିକେସନ ଫର୍ମର ହାର୍ଡ କପି କରୋନା ସଂକ୍ରମଣ କାରଣରୁ ଦେବାକୁ ପଡିବ ନାହିଁ ।