ସମ୍ବଲପୁର : ଆଜି ପ୍ରଶାସନିକ ଘୋଷଣା ଅନୁସାରେ ସମ୍ବଲପୁର ଜିଲ୍ଲାରେ ଗତକାଲି ଗୁରୁବାର ଦିନ ୧୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ମୋଟସଂଖ୍ୟା ୨୫୮୦ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଓ ୧୪୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୧୫୬ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗତକାଲି ୧୮୨ ଜଣ ପଜିଟିଭ ଚିହ୍ନଟ ପରେ ଆଜି ପୁଣି ଶତାଧିକ ଲୋକ ପଜିଟିଭ ଚିହ୍ନଟ ଯୋଗୁଁ ପ୍ରକୃତରେ ପ୍ରଶାସନ ସହିତ ଜନସାଧାରଣଙ୍କ ନିଦ ହଜିଯାଇଛି । ଏଥର ଗଣେଶ ପୂଜା ଓ ନୂଆଖାଇ ପାଇଁ ଗତ ଶନିବାର ଓ ରବିବାର ସଟଡାଉନ ବାତିଲ କରାଯାଇଥିଲା, ଯାହାର ପରିଣାମ ବର୍ତ୍ତମାନ ଭୋଗିବାକୁ ପଡୁଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଶନିବାର ଓ ତହିଁ ଆରଦିନ ରବିବାର ଦୁଇ ଦିନ ଧରି ସଟଡାଉନ କଡାକଡି ଭାବେ ପାଳନ କରାଯିବ ବୋଲି ଆଶା କରାଯାଉଛି । କିନ୍ତୁ ଏଥିରେ ଜନସାଧାରଣଙ୍କ ତରଫରୁ ଆଶାନୁରୂପ ସହଯୋଗ ମିଳିବ ପାରୁନାହିଁ, ଯାହାକି ଚିନ୍ତାର ବିଷୟ ହୋଇଛି । “ମତେ ଯେତେ ମାଗିବୁ ମାଠ” ଶୈଳୀରେ କିଛି ଲୋକଙ୍କ ବେପରୁଆ ମନୋଭାବ ଯୋଗୁଁ ଏଠାରେ ସ୍ଥିତି ବିପନ୍ନ ହେଉଛି, ଏଣୁ ଏହି ଅମାନିଆମାନଙ୍କୁ କିପରି ନିୟନ୍ତ୍ରଣ ରେ ଅଣାଯାଇ ପାରିବ, ସେ ଦିଗରେ ଜିଲ୍ଲା ପ୍ରଶାସନ ଚିନ୍ତା କରୁଛି ।