ବୌଦ୍ଧ,୨୮/୮ – ଆଜି ଦିନ ୧୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ସିଙ୍ଗାରୀ ଢାବା ନିକଟରେ ହୋଇଥିବା ଦୁର୍ଘଟଣା ପରେ ମୃତକ ପରିବାରକୁ ସହାୟତା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ । ଦୁର୍ଘଟଣା ଘଟାଇଥିବା ଗାଡି ମାଲିକଙ୍କ ପ୍ରତିନିଧି ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ଓ ଗାଡି ଦୁର୍ଘଟଣା ବୀମାର ରାଶି ମୃତକଙ୍କ ପରିବାରକୁ ସମ୍ପୁର୍ଣ୍ଣ ପ୍ରଦାନ କରିବା ଓ ଶୁଦ୍ଧକ୍ରିୟା ଏବଂ ଚିକିତ୍ସାଧୀନ ଥିବା ବାଳକର ସମସ୍ତ ଖର୍ଚ୍ଚ ଆଦି ପ୍ରଦାନ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା ।
ଦୁର୍ଘଟଣାସ୍ଥଳରେ ପୋଲିସ୍ ଏସ.ପି. ଭି ରଘୁନାଥ ରାଓ , ଏସ.ଡି. ପି. ଓ., ବୌଦ୍ଧ ଆଦର୍ଶ ଥାନା ଆଇ.ଅଇ.ସି. ତପସ୍ୱିନୀ କହଁର, ବୌଦ୍ଧ ତହସିଲଦାର ଓ ବାଉଁଶୁଣୀ ରାଜସ୍ୱ ନିରୀକ୍ଷକ ଉପସ୍ଥିତ ଥିଲେ । ରେଡକ୍ରସ ପାଣ୍ଠିରୁ ମୃତକ ପରିବାରକୁ ୨୦ ହଜାର ଟଙ୍କାର ସହାୟତା ତହସିଲଦାର ପ୍ରଦାନ କରିଥିଲେ । ତାପରେ ରାସ୍ତାରୋକ ହଟିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ଗୋଟିଏ ଟ୍ରକ୍ ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଜୁରାମୁଣ୍ଡା ଗ୍ରାମର ବାଇକ ଆରୋହୀ ସୁଧୀର ଦାସ ଓ ତାଙ୍କ ସାନ ପୁଅ ପିକୁନ ଦାସ (୪ ବର୍ଷ ) ମ୍ରୁତ୍ୟୁ ବରଣ କରିଥିବା ବେଳେ ବଡ଼ ପୁଅ ଟିକୁନ ଦାଶ (୧୧ ବର୍ଷ ) ଗୁରୁତର ଆହତ ହୋଇ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।