ସମ୍ବଲପୁର,୪/୯- ସ୍ଥାନୀୟ ସମ୍ବଲପୁର ରୋଡ ରେଲଷ୍ଟେସନ ପାଖରୁ ଗତକାଲି ପୁଲିସ ଏକ ବୃଦ୍ଧ ବ୍ଯକ୍ତିଙ୍କ ଶବ ଉଦ୍ଧାର କରିଛି, ଯାହାର ସଠିକ ପରିଚୟ ମିଳିନାହିଁ । ଏହି ବିଷୟରେ ମିଡିଆରେ ଫଟୋ ସହିତ ଖବରଦେଇ ଟାଉନ ଥାନା ପକ୍ଷରୁ ସେବିଷୟରେ ଜନସାଧାରଣଙ୍କ ଠାରୁ ସୂଚନା ଆମନ୍ତ୍ରଣ କରାଯାଇଛି । ଜଣେ ବ୍ୟକ୍ତି ଙ୍କ କହିବା ଅନୁସାରେ ମୃତ ବୃଦ୍ଧ (୭୦) ଜଣକ ଦକ୍ଷିଣ ଭାରତୀୟ ଓ ଏଠାକୁ ଆସିଲା ପରେ ହଠାତ କରୋନା କଟକଣା ଯୋଗୁଁ ଫେରିପାରି ନ ଥିଲେ । ବାଧ୍ୟ ହୋଇ ସେ ଭିକ୍ଷା ମାଗି ପେଟ ପୋଷୁଥିଲେ । ଜଣେ ସ୍ଥାନୀୟ ସହୃଦୟ ବ୍ୟକ୍ତି ପ୍ରତିଦିନ ତାଙ୍କୁ କିଛି ଖାଇବାକୁ ଦେବା ସହିତ ବିଶାଖାପାଟଣା ପର୍ଯ୍ୟନ୍ତ ତାଙ୍କର ଫେରିବା ବ୍ୟବସ୍ଥା କରିଦେବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ସେପରି କିଛି ସୁବିଧା ଯୋଗାଇ ଦେବା ଆଗରୁ ଗତକାଲି ହଠାତ ତାଙ୍କର ମୃତ୍ୟୁ ହୋଇଗଲା । ପୁଲିସ କହିବା ଅନୁଯାୟୀ ପ୍ରଚଳିତ ବିଧି ବ୍ଯବସ୍ଥା ଅନୁସାରେ ଏହି ଶବକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇଛି ଓ ଇତିମଧ୍ୟରେ ଯଦି କେହି ଆସି ତାହାକୁ ନେଇ ନ ଯାଆନ୍ତି, ତାହେଲେ ବାଧ୍ୟହୋଇ ଏକ ଅଜଣା ଶବ ଭାବେ ତାହାର ସଂସ୍କାର କରାଯିବ ବୋଲି କୁହାଯାଉଛି ।