ବୌଦ୍ଧ : ବୌଦ୍ଧ ସହରର ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଲକ୍ଷ୍ୟ ରଖିଥିଲେ । ମହାନଦୀ ବ୍ରିଜ ଛକ ଓ ବୁଟୁପାଲି ଠାରେ ଦୁଇଟି ଉତ୍ତଳ ପାଣି ଟାଙ୍କି ମଧ୍ୟ ନିର୍ମାଣ ହୋଇଛି । ଠିକାଦାର ଜରିଆରେ ପ୍ରତି ଗରୀବ ପରିବାରକୁ ସଂଯୋଗ ଦେବା କାମ ଚଳିତ ବର୍ଷର ପ୍ରାରମ୍ଭରେ ଆରମ୍ଭ କରାଯାଇଥିଲା । ଠିକା ସଂସ୍ଥା ପାନୀୟ ଜଳ ସଂଯୋଗ ଦେବା ପାଇଁ ସହରାଂଚଳ ମଧ୍ୟରେ ଥିବା ସମସ୍ତ ରାସ୍ତାକୁ ଖୋଳିତାଡି ଖିନଭିନ କରିବା ସହ ଅଧାପନ୍ତରିଆ ଭାବେ ଘର ପିଛା ୩୦୦ ରୁ ୫୦୦ ଟଂକା ଲେଖାଏଁ ଅସୁଲ କରି ଚାଲି ଯାଇଥିବା ଅଭିଯୋଗ ହେଉଛି । ବୌଦ୍ଧ ଏନଏସି ଅନ୍ତର୍ଗତ ୨ ନମ୍ବର୍ ୱାର୍ଡର ବାସନ୍ତୀ ପରିଡା ନାମକ ଜଣେ ହିତାଧିକାରୀଙ୍କ ଘରକୁ ପାନୀୟ ଜଳ ଯୋଗାଣ ପାଇଁ ପାଇପ ପୋତା ଯାଇଥିଲେ ମଧ୍ୟ ପାଣି ଆସୁନଥିବା ଜଣା ପଡିଛି । ସହରାଂଚଳ ପାନୀୟ ଜଳ ଯୋଗାଣ କାର୍ଯ୍ୟାଳୟ ରେ ଆପତ୍ତି କଲେ ମଧ୍ୟ କେହି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ ଏନଏସି ଓ ପିଏଚଡି ଗୁରୁତ୍ୱ ଦେବାକୁ ଜନସାଧାରଣରେ ଦାବି ହେଉଛି ।
