ସମ୍ବଲପୁର :ପ୍ରଶାସନିକ ଘୋଷଣା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୫ ଜଣ କରୋନା ସଂକ୍ରମିତ ହେଲା ପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୩୪୬୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ୨୬୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫ ଜଣ ମୃତ୍ୟୁ ବରଣ କଲାପରେ ବାକି ୮୩୫ ଜଣଙ୍କ ଚିକିତ୍ସା କୋଭିଡ ହସ୍ପିଟାଲରେ ଚାଲିଛି । ବର୍ତ୍ତମାନ ସମଗ୍ର ରାଜ୍ୟର ସ୍ଥିତିକୁ ଅନୁଧ୍ୟାନ କଲେ ସମ୍ବଲପୁର ଜିଲ୍ଲାର ଅବସ୍ଥା କିଛିକାଂଶରେ ନିୟନ୍ତ୍ରଣରେ ଅଛି ବୋଲି କୁହାଯାଇପାରିବ, କିନ୍ତୁ ନୂତନ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଶୂନ୍ୟ ନ ହେବା ପର୍ଯ୍ୟନ୍ତ କିଛି କୁହାଯାଇ ପାରିବ ନାହିଁ । ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ଆଉ ଅଧିକ ସଚେତନତାର ଆବଶ୍ୟକତା ରହିଛି ଓ ସେହି ଦିଗରେ ପ୍ରଚେଷ୍ଟା ଅବ୍ୟାହତ ରହିଛି । ଅଧିକାରିକ ଭାବରେ ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ୧୫ କୁହାଯାଉଛି, ଜନସାଧାରଣ ଙ୍କ ଆକଳନ ଅନୁସାରେ ଯଦିଓ ଏହାକୁ ୬୦ରୁ ଉର୍ଦ୍ଧ୍ୱ ବୋଲି କୁହାଯାଉଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ପରିଦର୍ଶନ ଓ କୋଭିଡ ସ୍ଥିତି ସମୀକ୍ଷା ସମୟରେ ଏହାକୁ ନେଇ ଅନେକ ତୁମ୍ବି ତୋଫାନ ହେଲାପରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତା ସହ ଗ୍ରହଣ କରିଛନ୍ତି । ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ସମ୍ବଲପୁର କୋଭିଡ ହସ୍ପିଟାଲ ଯଥେଷ୍ଟ ହେଉ ନଥିବାରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାରେ ଆଉ ଏକ ଏକଶତ କ୍ଷମତା ବିଶିଷ୍ଟ କୋଭିଡ ହସ୍ପିଟାଲ ସ୍ଥାପନ କରାଯିବା ପାଇଁ ସେ ଘୋଷଣା କରିଥିଲେ ଓ ଏହା କାର୍ଯ୍ୟାନ୍ୱନ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏହାସହିତ ଚିକିତ୍ସା ଅବହେଳା ଯୋଗୁଁ ଜିଲ୍ଲା କୋଭିଡ ହସ୍ପିଟାଲରେ ମୃତ୍ୟୁ ର ତାଣ୍ଡବଲୀଳା ଲାଗିରହିବା ପରିପ୍ରେକ୍ଷୀରେ ସେଠାରେ ଆଉ ଦଶ ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୩୦ ଜଣ ସେବିକା ଓ ୩୦ ଜଣ ସ୍ୱାସ୍ଥ୍ୟ ସହାୟିକାଙ୍କୁ ମଧ୍ୟ ସେଠାରେ ନିଯୁକ୍ତ କରାଯାଉଛି ।