ହରଭଙ୍ଗା ବ୍ଲକର ଉପାନ୍ତ ଗାଁର ସମସ୍ୟା : ୭ଟି ପାହାଡ ଓ ୩କୋସ ବାଟ ପାରି ହେଲେ ମିଳେ ଭତ୍ତା, ରାସନ ଓ ସ୍ୱାସ୍ଥ୍ୟସେବା

0 731

ହରଭଙ୍ଗା : ବୌଦ୍ଧ ଜିଲ୍ଲାର ବଣପାହାଡ ଘେରା ଦୁର୍ଗମ ପଞ୍ଚାୟତ ଆଡେନିଗଡର ଉପାନ୍ତ ଅଂଚଳ ହେଉଛି କଣ୍ଡରା, କାଚୁପଦୁ, ସୁଲକେଟି, ବାଙ୍କୁପାଜୁ, ରସାଦି ଆଦି ୫ ଖଣ୍ଡ ଆଦିବାସୀ ଗ୍ରାମ । ଏହି ବନବାସୀମାନେ ଭତ୍ତା ଓ ଟଙ୍କାକିଆ ଚାଉଳ ପାଇଁ ୭ଟି ପାହାଡ ଚଢି ୩କୋସ ବାଟ ଦେଇ ପାଦରେ ଚାଲିଚାଲି ଆଡେନିଗଡ ପଞ୍ଚାୟତ କାର୍ଯ୍ୟାଳୟକୁ ଆସନ୍ତି । ଏହି ଚିତ୍ର ଏବେ ସାମ୍ନାକୁ ଆସିଛି । ଏପରିକି ଗୁରୁତର ରୋଗୀଙ୍କ ଏମାନେ ଖଟରେ ବୋହି ଡାକ୍ତରଖାନାକୁ ଆଣିଥାନ୍ତି । ଦେଶ ସ୍ୱାଧୀନ ହେବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁର୍ଗମ ଉପାନ୍ତ ଅଂଚଳରେ ବସବାସ କରୁଥିବା ବନବାସୀଙ୍କର ବିକାଶ ବହୁ ପଛରେ ପଡିଛି । କେବଳ ଏତିକି ନୁହେଁ ପୁରୁଷାକ୍ରମେ ସେଠାରେ ବସବାସ କରୁଥିବା ବନବାସୀମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ବିଶୁଦ୍ଧ ପାନୀୟ ଜଳ ଭଳି ଅତ୍ୟାବଶ୍ୟକୀୟ ସେବାରୁ ବଞ୍ଚିତ ଅଛନ୍ତି । ବୌଦ୍ଧ ଜିଲ୍ଲା ଗଠନର ୨୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଅଂଚଳର ବିକାଶର ଚିହ୍ନବର୍ଣ୍ଣ ନାହିଁ । ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ସମସ୍ୟା ବିଷୟରେ ଖବର ପ୍ରକାଶ କରାଯାଇଥିଲା ।

hiring

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବନବାସୀଙ୍କ ଜୀବନ ଶୈଳୀରେ ସୁଧାର ଆଣିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନାରେ ୧୯ଲକ୍ଷ ଟଙ୍କା ମଞ୍ଜରୀ କରାଯାଇଥିଲା । ଏହି ଅନୁଦାନରେ ପାହାଡ କଟାଯାଇ କିଛି ବାଟ ରାସ୍ତା ହୋଇଥିଲା । ସ୍ୱଳ୍ପ ଅନୁଦାନରେ ପାହାଡ କଟା ଓ ରାସ୍ତା କାମ ଅଧପନ୍ତରୀଆ ହୋଇ ରହିଗଲା । ନିର୍ମାଣ ହୋଇଥିବା ରାସ୍ତାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କଲେନାହିଁ । ଫଳରେ ରାସ୍ତା ଏବେ ଅଧପନ୍ତରିଆ ହୋଇ ରହିଛି । ଏହି ଅଂଚଳବାସୀଙ୍କ ଦୁଃଖ କହିଲେ ନସରେ । ବନବାସୀମାନେ ପାହାଡ ଚଢି ପିଡିଏସ ସାମଗ୍ରୀ ନେବାକୁ ଆସୁଛନ୍ତି । ପ୍ରାୟ ୩କୋସ ବାଟ ଦେଇ ଏମାନେ ପଞ୍ଚାୟତ ମୁଖ୍ୟାଳୟକୁ ଆସୁଛନ୍ତି । ପ୍ରକାଶଥାଉକି ଏହି ରାସ୍ତାଟି ବନବିଭାଗ ଅଧିନରେ ଥିବାରୁ ପ୍ରତିବର୍ଷ ବନବିଭାଗ ରାସ୍ତା ନିର୍ମାଣରେ ଖର୍ଚ୍ଚ କରୁଥିବା ବେଳେ ଏଣେ ପଞ୍ଚାୟତ ପକ୍ଷରୁ ମଧ୍ୟ ଏ ବାବଦରେ ଖର୍ଚ୍ଚ କରାଯାଉଥିବା ଜଣାପଡିଛି । ଏହି ରାସ୍ତାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବେବି ବନବାସୀମାନେ ପାହାଡ ଚଢି ଯାଉଛନ୍ତି । ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବାକୁ ବିଡିଓ ନିଳକଣ୍ଠ ବେହେରାଙ୍କ ନିକଟରେ ଅଂଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × four =