ଆମ୍ବଝରୀ ସୋସାଇଟି କାର୍ଯ୍ୟାଳୟ ନିର୍ମାଣ ହେବ କେବେ ?

0 578

ବୌଦ୍ଧ,୨୪/୯ – ବୌଦ୍ଧବ୍ଲକ୍‌ ଆମ୍ବଝରୀ ସେବା ସମବାୟ ସମିତିର କାର୍ଯ୍ୟାଳୟ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଂଚଳରେ ରାଜନୀତି ଯୋର୍‌ ଧରିଛି । ଫଳରେ ସମିତିର ନିଜସ୍ୱ କାର୍ଯ୍ୟାଳୟ ଘର ନିର୍ମାଣ ହୋଇପାରୁନଥିବା ଅଭିଯୋଗ ହୋଇଛି । ନିର୍ବାଚିତ ପରିଚାଳନା କମିଟି ଥିବା ବେଳେ ଆମ୍ବଝରୀ ଗ୍ରାମରେ ଥିବା ସମିତିର ନିଜସ୍ୱ ଜମିରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ତା ୩୧. ୭. ୨୦୧୮ ମସିହାରେ ଶୁଭ ଦିଆଯାଇଥିଲା । ତତ୍କାଳୀନ ଭାରପ୍ରାପ୍ତ ଏ.ଆର.ସି.ଏସ. ପାଣୁ ଚରଣ ସାହୁ ଓ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ସମ୍ପାଦକ ସୁରେନ୍ଦ୍ର ପ୍ରଧାନ ଭୂମିପୂଜନ କରିଥିଲେ ମାତ୍ର ଆଜିଯାଏଁ କାର୍ଯ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିଲାନାହିଁ । ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ କମିଟି ସମିତି ସମ୍ପାଦକ ଅଶୋକ ବସ୍ତିଆଙ୍କୁ ଦାୟିତ୍ୱ ଦେଇଥିଲେ । ଶ୍ରୀ ବସ୍ତିଆ ସରକାରଙ୍କ ନିକଟରୁ ଆସିଥିବା ୫ ଲକ୍ଷ ଟଂକାର ଅନୁଦାନରୁ ପ୍ରାୟ ଦେଢ ଲକ୍ଷ ଟଂକା ଉଠାଇ କାମ ଆରମ୍ଭ କଲେନାହିଁ । ଦେଢ ଲକ୍ଷ ଟଂକା ନିଜ ପାଖରେ ରଖି ବସି ପଡିଲେ । ପରିଚାଳନା କମିଟି କାମ ଆରମ୍ଭ ପାଇଁ ବାରମ୍ବାର ତାଗିଦ କରିବା ସତ୍ତେ୍ୱ କର୍ଣ୍ଣପାତ କଲେ ନାହିଁ । ଏ ସମ୍ପର୍କରେ ରାଜ୍ୟ ସମବାୟ ନିବନ୍ଧକଙ୍କ ନିକଟରେ ଅଭିଯୋଗ ହୋଇ ତଦନ୍ତ ହେବା ପୁର୍ବରୁ ପ୍ରାୟ ଦୁଇ ବର୍ଷ ଧରି ହାତରେ ରଖିଥିବା ଦେଢ ଲକ୍ଷ ଟଂକା କାର୍ଯ୍ୟାନୁଷ୍ଠାନ ଭୟରେ ସମିତି ଜମା ଖାତାରେ ବାନ୍ଧି ଦେଲେ ।
ସମିତି କାର୍ଯ୍ୟାଳୟ ସ୍ଥାପନକୁ ନେଇ ପଞ୍ଚାୟତ ଜନସାଧାରଣଙ୍କ ମଧ୍ୟରେ ବିବାଦ ରହିଛି । କିଛି ଗ୍ରାମର ଅଧିବାସୀ ଆମ୍ବଝରୀ ଗ୍ରାମରେ ସମିତି ନାମରେ ଥିବା ୧୫ ଡିସିମିଲ ଜମିରେ କରିବା ପାଇଁ ଦାବୀ କରୁଥିବା ବେଳେ ଆଉ କିଛି ଗ୍ରାମର ଲୋକେ ଖଜୁରିପଡା କିମ୍ବା ଝାଙ୍କରପଡା ଠାରେ ହେବାକୁ ଦାବୀ କରୁଥିବା ଜଣାଯାଏ । ଏ ବିବାଦ ଭିତରେ ସମ୍ପାଦକ ଶ୍ରୀ ବସ୍ତିଆ ଆଉ ଟିକିଏ ନିଆଁରେ ଘିଅ ଢାଳି ମଜା ନେଉଥିବା ଅଭିଯୋଗ ହୁଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମିତିର କାଗଜପତ୍ର ସବୁ ନିଜ ଘରେ ରଖି ଶ୍ରୀ ବସ୍ତିଆ କାର୍ଯ୍ୟ କରୁଥିଲେ । ଅଭିଯୋଗ ହେବା ପରେ ଡି.ଆର.ସି.ଏସ.ଙ୍କ ନିର୍ଦ୍ଦେଶରେ କିଛି ଦିନ ହେଲା ସମିତି କାର୍ଯ୍ୟାଳୟ ଅନ୍ୟ ଗୋଟିଏ ଭଡା ଘରକୁ ଆସିଛି । ଏ ମୌକାରେ ଗୋଳିଆ ପାଣିରୁ ମାଛ ଧରିବାକୁ ସମ୍ପାଦକ ନିଜ ସମିତିର ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସଲାସୁତୁରା କରି ବିବାଦକୁ ବଢାଇବାରେ ଲାଗିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜିଲ୍ଲାପାଳ ତଥା ଏ.ଆର.ସି.ଏସ. ଦୃଷ୍ଟି ଦେବାକୁ ଆମ୍ବଝରୀ ଗ୍ରାମପଂଚାୟତ ଜନସାଧାରଣ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 + 16 =