ବୌଦ୍ଧ,୨୬/୯ – ହରଭଙ୍ଗା ବ୍ଲକ୍ ସାମ୍ପୋଚ ଗ୍ରାମ ପଂଚାୟତର ହରେକୃଷ୍ଣପୁର ଗ୍ରାମରେ ଗତକାଲି ଅପରାନ୍ହରେ ଗୋଟିଏ ଦୁଃଖଦ ଘଟଣା ଘଟି ଯାଇଛି l ପୋଖରୀରୁ ମାଛ ମାରିବା ପାଇଁ କେହି ବିଛାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପ ପୁଅଙ୍କ ମ୍ରୁତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ହରେକୃଷ୍ଣପୁର ଗ୍ରାମର ଶେଷଦେବ ଦେହୁରୀ (65 ବର୍ଷ ) ଗାଈ ଚରାଇ ଘରକୁ ଫେରୁଥିବା ବେଳେ ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଗାଆଁ ନିକଟରେ କେହି ବିଛାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ | ଘରକୁ ଫେରିବା ଡେରି ହେବାରୁ ତାଂକର ପୁଅ ସରୋଜ ଦେହୁରୀ (40 ବର୍ଷ) ଖୋଜିବାକୁ ଯାଇ ପୋଖରୀ ନିକଟରେ ବାପା ପଡିଥିବା ଦେଖି ଉଠାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ | ସେମାନଙ୍କୁ ଉଦ୍ଧାର କରି ପରିବାର ଲୋକ ବୌଦ୍ଧ ଡାକ୍ତରଖାନା ଆଣିଥିଲେ l ଡାକ୍ତର ସେମାନେ ମୃତ ଘୋଷଣା କରିଥିଲେ | ମାଛ ମାରିବା ପାଇଁ ବିଦ୍ୟୁତ୍ ତାର ବ୍ୟବହାର ବୌଦ୍ଧ ଜିଲ୍ଲାରେ ବ୍ୟାପକ ଭାବରେ ବୃଦ୍ଧି ପାଉଥିବା ଅଭିଯୋଗ ହୁଏ | ଅସୁରକ୍ଷିତ ଓ ବେଆଇନ୍ ଭାବେ ବିଦ୍ୟୁତ ତାର ଟାଣି କିଛି ଦୁର୍ବୃତ୍ତ ମାଛ ମାରୁଥିବା ବେଳେ ଅନେକ ନିରୀହ ଲୋକ ଓ ପଶୁ ପକ୍ଷୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି l ପୋଲିସ ଓ ବିଦ୍ୟୁତ୍ ବିଭାଗ ଏ ଦିଗରେ ଦ୍ରୁଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି l