ବୌଦ୍ଧ,୨୬/୯ – ଗତ ୬ ତାରିଖ ଦିନ କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ପଦରପଡା ଗ୍ରାମରୁ ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଜବତ୍ ହୋଇଥିବା ୨୮୦ ବସ୍ତା ସାରକୁ କୃଷି ବିଭାଗକୁ ହସ୍ତାନ୍ତର କରାଯାଇ ଟ୍ରକ ସହ ମନମୁଣ୍ଡା ଥାନାରେ ରଖାଯାଇଛି । ୧୫ ଦିନ ଧରି କୃଷି ବିଭାଗ ଚୁପ୍ ରହିବା ପରେ ଗତ ୨୪ ତାରିଖରେ ମନମୁଣ୍ଡା ଥାନାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପତ୍ର ଲେଖି ସ୍ଥାନୀୟ ସେବା ସମବାୟ ସମିତିକୁ ସମସ୍ତ ୨୮୦ ବସ୍ତା ସାର ହସ୍ତାନ୍ତର କରିବାକୁ କହିଥିଲେ । ସମିତି ଦୁଇ ଦିନ ମଧ୍ୟରେ ସରକାରୀ ମୂଲ୍ୟରେ ସାର ବିକ୍ରୀ କରି ପରିବହନ ଖର୍ଚ୍ଚ ସହ ଟଂକା ଜମା ଦେବାକୁ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନମୁଣ୍ଡା ସମିତିର ସମ୍ପାଦକ ମନମୁଣ୍ଡା ଥାନାକୁ ଯାଇ ଜବତ ସାର ଦେଖିବା ପରେ ଗତକାଲି ବୌଦ୍ଧ ସମବାୟ ବିଭାଗର ଉପ ନିବନ୍ଧକଙ୍କୁ ଏ ସମ୍ପର୍କରେ ଦେଇଥିବା ରିପୋର୍ଟ କ୍ରୁଷି ବିଭାଗର ଦାୟିତ୍ୱହୀନତାକୁ ପଦାରେ ପକାଇଛି । ମିଳିଥିବା ସୂଚନା ଅନୁଯାୟୀ ଟ୍ରକରେ ଜବତ ହୋଇଥିବା ୨୮୦ ବସ୍ତାରୁ କମ୍ ସାର ଅଛି, ଗତ ବର୍ଷାରେ ଅନେକ ସାର ବସ୍ତା ନଷ୍ଟ ହୋଇଯାଇଛି । ଜବତ ହୋଇଥିବା ଏମ.ଓ.ପି., ଡି. ଏ. ପି. ଓ ରାଜା ସାର ବର୍ତ୍ତମାନ ଚାଷୀଙ୍କ ଦରକାରରେ ଆସିବ ନାହିଁ, ସମିତିର ଛୋଟ ଗୋଦାମରେ ଦୀର୍ଘ ଦିନ ଧରି ଏ ସାରକୁ ରଖି ଦୁଇ ଦିନ ଭିତରେ ସାରର ମୁଲ୍ୟ ପ୍ରଦାନ କରିବା ଅସମ୍ଭବ ବୋଲି ସହକାରୀ ନିବନ୍ଧକଙ୍କୁ ମନମୁଣ୍ଡା ସେବା ସମବାୟ ସମିତିର ସମ୍ପାଦକ ଜଣାଇଥିବା ସୁଚନା ମିଳିଛି । ସବୁଠାରୁ କୌତୁହଳର ବିଷୟ ଥାନାରେ ଜବତ ସାର ଆଜକୁ ୨୦ ଦିନ ହେଲା ପଡିଥିଲେ ମଧ୍ୟ ଥାନାରେ ଜବତ ସାରର ସିଜର ଲିଷ୍ଟ କିମ୍ବା କୌଣସି ସୂଚନା କୃଷି ବିଭାଗ ଦେଇନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହକାରୀ ନିବନ୍ଧକ ସମବାୟ ସମିତି ସମୁହ ଭୀମସେନ ସାହୁ ମନମୁଣ୍ଡା ସମିତି ସମ୍ପାଦକଙ୍କ ରିପୋର୍ଟ ଆଧାରରେ ଏ ସମ୍ପର୍କରେ ଗତକାଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଏ ଘଟଣାରେ କୃଷି ବିଭାଗର ଅପାରଗତା ପଦାରେ ପଡି ଯାଇଥିବା ବେଳେ ଜବତ ସାରକୁ ନେଇ କି ପଦକ୍ଷେପ ନେବ ସେଥିପାଇଁ ହରଡ ଘଣାରେ ପଡିଛି । ରାଜସ୍ୱ, କୃଷି ଓ ସମବାୟ ବିଭାଗ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post