ସୋମବାରଠାରୁ ଭିମସାର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ

0 90

ସମ୍ବଲପୁର : ଦୀର୍ଘକାଳ ଅପେକ୍ଷା ପରେ ଶେଷରେ ଭିମସାରରେ ନିର୍ମାଣାଧୀନ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ଆଗାମୀ ୧୨ ତାରିଖ ସୋମବାର ଦିନ ନିଷ୍ପତ୍ତି ହୋଇଛି । ଏବିଷୟରେ ସୂଚନା ଦେଇ ହସ୍ପିଟାଲ ପ୍ରଶାସନିକ ଅଧିକାରୀ ସୁବ୍ରମ ନାୟକ ଜଣାଇଛନ୍ତି ଯେ ଗତକାଲି ଭିମସାର ନିର୍ଦ୍ଦେଶକଙ୍କ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଏପରି ନିଷ୍ପତ୍ତି ନିଆ ଯାଇଛି । ଭିମସାର ପରିସରରେ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ନତାଲା କୋଠା ବିଭିନ୍ନ କାରଣରୁ ଗତ ପ୍ରାୟ ୬ବର୍ଷ ହେଲା ବ୍ୟବହାରରେ ଆସି ପାରୁ ନ ଥିଲା, ଯାହାକି ଶିଶୁ ବିଭାଗ ପାଇଁ ଉଦ୍ଦିଷ୍ଟ ଥିଲା । ସମ୍ବଲପୁର କୋଭିଡ ହସ୍ପିଟାଲ ପରିଦର୍ଶନରେ ଆସି ପ୍ରାୟ ପାଞ୍ଚ ସପ୍ତାହ ପୂର୍ବେ ସେପ୍ଟେମ୍ବର ୫ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଝି ପାରିଥିଲେ ଯେ ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲା ରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଏହା ଯଥେଷ୍ଟ ନୁହେଁ, ତେଣୁ ସେ ଏଠାରେ ଦଶଦିନ ମଧ୍ୟରେ ଆଉ ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଥିଲେ । ଏଥିପାଇଁ ଅନ୍ୟ କୌଣସି ସ୍ଥାନରେ ସୁବିଧା ମିଳି ପାରି ନ ଥିବାରୁ ପରିଶେଷରେ ଏହି ପରିତ୍ୟକ୍ତ କୋଠାକୁ ଚୟନ କରାଯାଇଥିଲା । କିନ୍ତୁ ସେତେବେଳେ ମଧ୍ୟ ଏହାକୁ ନେଇ ଅନେକ ବିବାଦ ଉଠିଥିଲା, ଯଥା ଯିବା ଆସିବା ପାଇଁ ପ୍ରଶସ୍ଥ ମାର୍ଗର ଅଭାବ ଓ ସର୍ବୋପରି ଅଗ୍ନି ନିରାପତ୍ତା ଦୃଷ୍ଟି ରୁ ଏହା ଅସୁରକ୍ଷିତ ରହିଥିଲା । ଏସବୁ ସମସ୍ୟା ର ସମାଧାନ ଦିଗରେ ଯଥାସମ୍ଭବ ଚେଷ୍ଟା କରାଗଲା, କିନ୍ତୁ ଉଠୁଥିବା ବିବାଦକୁ ନେଇ ନିଷ୍ପତ୍ତି ନେବାରେ ଏତେ ବିଳମ୍ବ ଘଟିଲା । ସେ ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ଏଥିପାଇଁ ତାରିଖ ଘୋଷଣା କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × three =