ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ କରୋନା ସଙ୍କଟ ଅବ୍ୟାହତ ରହିଛି, ହେଲେ ଦୈନିକ ସଂକ୍ରମଣହାର ସାମାନ୍ୟ ହ୍ରାସ ପାଇ ଥିବାରୁ ଲୋକେ କିଛି ଆଶ୍ୱସ୍ତ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୯୫୫ଜଣ ସୁସ୍ଥ ହୋଇ ଘରକୁ ଫେରିବା ସହ ୨୪ଜଣଙ୍କ ମୃତ୍ୟୁ ହୋଇଛି ଓ ବାକି ସକ୍ରିୟ ୧୧୮୧ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯାଉଛି । ସେମାନଙ୍କ ମଧ୍ୟରୁ ଜିଲ୍ଲା କୋଭିଡ ହସ୍ପିଟାଲରେ ୧୩୦ଜଣ, କୋଭିଡ କେୟାରରେ ୧୩୩ ଜଣ, କୋଭିଡ କେୟାର ହୋମ ରେ ୧୦ଜଣ ଓ ହୋମ ଆଇସୋଲେଶନରେ ୮୨୪ ଜଣ ଚିକିତ୍ସିତ ହେଉଛନ୍ତି । ଏକ ଘରୋଇ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ କୋଭିଡ ପରୀକ୍ଷା ସଂଖ୍ୟା ହ୍ରାସ କରାଯାଇ ଥିବାରୁ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା କମିଛି । ଯଦି ଏହି ଅଭିଯୋଗ ସତ, ତାହେଲେ ବାସ୍ତବିକ ସ୍ଥିତି ଗମ୍ଭୀର ରହିଛି ଓ ଜନସାଧାରଣଙ୍କୁ ଅସ୍ଥାୟୀ ଆଶ୍ୱାସନା ବଳରେ ଭୂୟାଁ ବୁଲାଯାଉଛି । ବର୍ତ୍ତମାନ ସୁଦ୍ଧା କୋଭିଡ ଯୋଗୁଁ ମୃତକଙ୍କ ସଂଖ୍ୟାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇପାରିନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଗତ ୨୪ ଘଣ୍ଟା ମଧ୍ୟରେ ୪ଜଣଙ୍କ ମୃତ୍ୟୁ ସତ୍ତ୍ୱେ ଏବିଷୟରେ ପ୍ରଶାସନ ରହସ୍ୟଜନକ ଭାବରେ ନୀରବ ରହିଛି ।