ସୋନପୁର,୧୩/୧୦ : ସହରର ଗଡ଼ଭିତରର ବରିଷ୍ଠ ଆଇନଜୀବୀ ତଥା ସହକାରୀ ସରକାରୀ ଓକିଲ ପ୍ରଦୀପ କୁମାର ହୋତା (୬୨) ଙ୍କର ଗତକାଲି ଭୂବନେଶ୍ୱରର କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଦୀର୍ଘ ୧୨ଦିନଧରି ମହାମାରୀ କରୋନା ସହ ଲଢ଼ୁଥିବା ଅବସ୍ଥାରେ ଗତକାଲି ଅପରାହ୍ନ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କର ପରଲୋକ ଖବର ପ୍ରଚାରିତ ହେବାପରେ ସହରର ସମସ୍ତ ଆଇନଜୀବୀଙ୍କସହ ସହରର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଗତ ୨୯ତାରିଖରେ ସେ କରୋନା ପଜିଟିଭ ଜଣାପଡିବାପରେ ତାଙ୍କୁ ଜିଲ୍ଲା କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ତାଙ୍କର ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେବାରୁ ତାଙ୍କୁ ଭୂବନେଶ୍ୱରସ୍ଥିତ କିମ୍ସ ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ସହରର ଏକ ବେଶ ଜଣାଶୁଣା ବ୍ୟକ୍ତି ଭାବରେ ସମସ୍ତ ଅନୁଷ୍ଠାନ ତଥା ଯୁବ ସମାଜର ସେ ଏକ ଆଦର୍ଶ ଭାବେ ତାଙ୍କର ଖୁବ ପରିଚିତି ଥିଲେ । ୨୦୧୦ରୁ ସେ ଆଜିପର୍ଯ୍ୟନ୍ତ ଜିଲ୍ଲା ଅଦାଲତରେ ସହକାରୀ ସରକାରୀ ଓକିଲ (ଏଜିପି) ଭାବରେ ସଫଳତାର ସହ କାର୍ଯ୍ୟ କରିଆସିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କନ୍ୟାଭୃଣ ହତ୍ୟା ନିରୋଧ ଜିଲ୍ଲାସ୍ତରୀୟ କମିଟିର ସେ ଆଇନ ପରାମର୍ଶଦାତା ହିସାବରେ ମଧ୍ୟ ସେ କାର୍ଯ୍ୟ ତୁଲାଉଥିଲେ । ସେ ସୋନପୁର ଓକିଲ ସଂଘର ପୂର୍ବତନ ସଭାପତି ରହିଥିବାବେଳେ ସୋନପୁର ବାଲ ଗଙ୍ଗାଧର ତିଲକ ଆଇନ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଥିଲେ । ସ୍ୱର୍ଗତ ହୋତାଙ୍କ ସହଧର୍ମିଣୀଙ୍କ ସହ ତାଙ୍କର ଦୁଇଟି ପୁଅ ଅଛନ୍ତି । ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି ।