ବୌଦ୍ଧ/ବାଉଁଶୁଣି,୧୫/୧୦ – ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବୌଦ୍ଧବ୍ଲକ୍ ବହିରା – ଦୁମୁଦୁମା ରାସ୍ତାର ଅବସ୍ଥା କେବେ ସୁଧୁରିବାର ନାମ ଧରୁନାହିଁ । ପ୍ରତିବର୍ଷ ଏ ରାସ୍ତାରେ ଲକ୍ଷଲକ୍ଷ ଟଙ୍କାର କାମ ହେଉଥିଲେ ମଧ୍ୟ ଲୋକଙ୍କ କୌଣସି କାମରେ ଆସୁନଥିବା ଅଭିଯୋଗ ହୁଏ । ବହିରା ଠାରୁ ଖଜୁରିପଡା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧୬ କିଲୋମିଟର ରାସ୍ତାର ଉନ୍ନତ୍ତିକରଣ ପାଇଁ ବିଭିନ୍ନ ଅନୁଦାନରେ ପ୍ରତିବର୍ଷ କାମ ହେଉଥିବା ବେଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତୁରାରେ ଯୋଜନା ଅର୍ଥ ହରିଲୁଟ ହେଉଥିବା ଦେଖିବାକୁ ମିଳୁଛି । ଗତ ଆର୍ଥିକ ବର୍ଷରେ ଉକ୍ତ ରାସ୍ତା କାମ ପାଇଁ ପ୍ରାୟ ୬୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ରାସ୍ତା କାମ ୨୦୨୦ ମାର୍ଚ୍ଚ ବେଳକୁ ସମ୍ପୂର୍ଣ୍ଣ ହୋଇଥିଲା କିନ୍ତୁ ବର୍ତ୍ତମାନ ରାସ୍ତାର ଅବସ୍ଥା ବେହାଲ । ନିମ୍ନମାନର କାମ ଯୋଗୁଁ ରାସ୍ତା ବିଭିନ୍ନ ସ୍ଥାନରେ ଦବିଯାଇ ଥିବା ହେତୁ ରାସ୍ତାର ଅବସ୍ଥା ଯଥା ପୂର୍ବମ ତଥା ପରଂରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଏ ରାସ୍ତା ନିର୍ମାଣରେ ହୋଇଥିବା ନିମ୍ନମାନର କାମ ଓ ଦୁର୍ନୀତି ପ୍ରସଙ୍ଗରେ ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।