ସମ୍ବଲପୁର : ଦୀର୍ଘ ମାସାଧିକ କାଳ ପର୍ଯ୍ୟନ୍ତ ଦୟନୀୟ ସ୍ଥତିପରେ ସମ୍ବଲପୁର ଜିଲ୍ଲା ର ଧୀରେ ଧୀରେ ଉନ୍ନତି ଆଡକୁ ଗତିକରୁଛି । ପ୍ରଶାସନିକ ସୂତ୍ରାନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ପଜିଟିଭ ଭାବେ ୫୩ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ଏମାନଙ୍କୁ ମିଶାଇ ଏଯାଏଁ କରୋନା ପଜିଟିଭ ଚିହ୍ନଟଙ୍କ ମୋଟସଂଖ୍ୟା ୭୪୩୨ ହୋଇଛି । ଏମାନଙ୍କ ମଧ୍ୟରୁ ୬୪୫୧ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ଓ ୨୫ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ସକ୍ରିୟ ୯୫୬ ଜଣଙ୍କ ବିଭିନ୍ନ ସ୍ଥାନରେ କୋଭିଡ ଚିକିତ୍ସା ଚାଲିଛି । ଏହି କ୍ରମରେ ସୁସ୍ଥତାହାର ୮୭.୪୨ ପ୍ରତିଶତ, ମୃତ୍ୟୁ ହାର ୦.୩୪ ପ୍ରତିଶତ ତଥା ବାକି ୧୨.୨୪ ପ୍ରତିଶତଙ୍କ ସକ୍ରିୟରହି ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରୁ ୧୨୦ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ, ବୁର୍ଲା କୋଭିଡ କେୟାର ସେଣ୍ଟରରେ ୧୩୦ଜଣ, କୋଭିଡ କେୟାର ହୋମ୍ସରେ ୧୦ଜଣ ଓ ହୋମ ଆଇସୋଲେଶନରେ ୬୪୩ ଜଣଙ୍କ ଚିକିତ୍ସା ଚାଲିଛି । ଜିଲ୍ଲାରେ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟାକୁ ନେଇ ବିବାଦ ଥମୁ ନାହିଁ ଓ ଏହାର ଏକମାତ୍ର କାରଣ ହେଲା ଯେ ପ୍ରଶାସନ ଦ୍ୱାରା ଘୋଷଣା ଓ ବାସ୍ତବିକ ସ୍ଥିତିରେ କୌଣସି ସାମଞ୍ଜସ୍ୟ ରହୁନାହିଁ । ଏଥିରେ ମଧ୍ୟ କୌଣସି ସନ୍ଦେହ ନାହିଁ ଯେ ଏପରି ମୃତକଙ୍କ ସଂଖ୍ୟାରେ ଦୈନିକ ବୃଦ୍ଧି ହେଉଛି, କିନ୍ତୁ ନିଜ ଖାମଖିଆଲି ନୀତି ଯୋଗୁଁ ପ୍ରଶାସନ ସପ୍ତାହରେ ଗୋଟିଏ କି ଦୁଇଟି ମୃତ୍ୟୁ ଘଟୁଛି ବୋଲି ଜଣାଉଛି । ଅନେକ କିଛିଦିନ ମୃତ୍ୟୁ ସଂଖ୍ୟା ୨୪ ରହିଥିବା ପରେ ଗତକାଲି ମାତ୍ର ଜଣଙ୍କ ମୃତ୍ୟୁକୁ ଏଥିରେ ସାମିଲ କରି ଆଜି ୨୫ ଦର୍ଶାଯାଇଛି, ଯଦିଓ ବିଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରୁ ବାରିପଦା, ବୁର୍ଲା ଓ ସମ୍ବଲପୁର ମହାନଗରରୁ ଜଣେ ଲେଖାଏଁ ରହିଥିବା ବେଳେ ବାକି ୩ ଜଣ ବରଗଡ଼, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି ।