ସମ୍ବଲପୁର : ଗତ ପ୍ରାୟ ଦଶଦିନ ହେଲା ସମ୍ବଲପୁର ଜିଲ୍ଲାର ସ୍ଥିତିରେ କ୍ରମାଗତ ସୁଧାର ଆସୁଥିବାରୁ ଜନସାଧାରଣ ଏଠାରେ ଉତ୍ସାହିତ ରହିଛନ୍ତି ଓ ଏଥର ଆଗକୁଥିବା ପାର୍ବଣପର୍ବ ସୁରକ୍ଷିତ ଭାବରେ କଟିଯାଉ ବୋଲି ମା ଦୁର୍ଗାଙ୍କ ଠାରେ ମନାସୁଛନ୍ତି । ଆଶ୍ୱସ୍ତିର ବିଷୟ ଏହା ଯେ ବର୍ତ୍ତମାନ ସୁସ୍ଥତାହାର ୯୦ ପ୍ରତିଶତ ପାଖାପାଖି ଥିବା ବେଳେ ସକ୍ରିୟତାହାର ୧୦ ପ୍ରତିଶତ ରୁ ତଳକୁ ରହି ଆସୁଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାରେ ୫୨ଜଣ ନୂଆ ପଜିଟିଭ ଚିହ୍ନଟ ହେବା ସହିତ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସମୁଦାୟ ସଂଖ୍ୟା ୭୫୨୧ ରହିଛି । ଏମାନଙ୍କ ମଧ୍ୟରୁ ୬୬୬୦ ଜଣ ସୁସ୍ଥହୋଇ ଘରକୁ ଫେରିବା ପରେ ୨୮ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ସକ୍ରିୟ ୮୩୩ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା ଚାଲିଛି । ପ୍ରଶାସନ ପକ୍ଷରୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ଚେଷ୍ଟା ଅବ୍ୟାହତ ରହିଛି । ଯେଉଁଥି ପାଇଁ ସମଗ୍ର ଜିଲ୍ଲାରେ ୪୬ଟି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ସହିତ ବିଭିନ୍ନ ୬ଟି ଅଂଚଳରେ ପ୍ରତିଷେଧକ ନିଷେଧାଦେଶ ଧାରା ୧୪୪ ଲଗା ଯାଇଛି । ଏହି ନିଷିଦ୍ଧାଂଚଳର ୧୦୦ ମିଟର ପରିଧି ଭିତରେ ପ୍ରବେଶ ଉପରେ ମଧ୍ୟ କଟକଣା ଲଗାଯାଇଛି ।