ସମ୍ବଲପୁର: ବିଗତ ତିନି ସପ୍ତାହ ହେଲା ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, କିନ୍ତୁ ତିନି ଦିନ ହେଲା ସକ୍ରିୟ ରୋଗୀଙ୍କ ସହିତ ମୃତକଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର ବିଷୟ ହୋଇଛି । ଗତ ତିନି ଦିନର ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି ଯେ ଶନିବାର ଦିନ ଏହା ୩୪୦, ରବିବାର ଦିନ ୩୪୬ ଓ ଆଜି ସୋମବାର ଦିନ ୩୫୪ ରହି ଆସୁଛି, ଯାହାକି ଚିନ୍ତା ବଢାଉଛି । ଗତକାଲି ରବିବାର ଦିନ ତିନିଜଣ (୬୩, ୬୫ ଓ ୭୨ ବର୍ଷୀୟ) ପୁରୁଷଙ୍କ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ସହିତ ଏଠାରେ ରାଜ୍ୟ ସରକାରଙ୍କ ଅଧିକୃତ ପରିସଂଖ୍ୟାନ ଅନୁସାରେ ମୃତକଙ୍କ ମୋଟ ସଂଖ୍ୟା ୪୩ ହୋଇଛି, ଯଦିଓ ଲୋକଙ୍କ କହିବା ଅନୁସାରେ ଏହା ୨୦୦ରୁ ଅଧିକ କୁହାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୨ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୮୨୮୯ ରେ ପହଞ୍ଚିଛି । ସେହିପରି ଗତକାଲି ୨୧ ଜଣ ଆଉ ସୁସ୍ଥ ହେଲାପରେ ମୋଟ ୭୮୯୨ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ବ୍ୟତୀତ ମୋଟ ୪୩ ଜଣଙ୍କ ମୃତ୍ୟୁ ହୋଇଛି ଓ ବାକି ୩୫୪ ଜଣଙ୍କ ହୋମ ଆଇସୋଲେଶନ ଓ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ତିନି ସପ୍ତାହ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ରୁ ତଳକୁ ରହୁ ଥିବାରୁ ସ୍ଥିତି ଯଥାସମ୍ଭବ ନିୟନ୍ତ୍ରଣ ରେ ରହିଛି ବୋଲି କହୁଥିଲେ ମଧ୍ୟ ଦୈନିକ ସଂକ୍ରମଣ ଶୁନ ଯାଏଁ କେବେ ପହଞ୍ଚି ପାରିବ, କିଛି କହି ହେଉନାହିଁ ।