ସମ୍ବଲପୁର,୧୩/୧୧- ଗତ ୨୪ ଘଣ୍ଟା ପୂର୍ବରୁ ଓ ପରେ ସମ୍ବଲପୁର ଜିଲ୍ଲାରେ ଦୈନିକ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୪ଗୁଣ ହୋଇଯିବାରୁ ଆସନ୍ତାକାଲି ଦୀପାବଳି ପାଳନ କିପରି ହେବ, ତାହା ଏଠାରେ ଚିନ୍ତାର ବିଷୟ ହୋଇଛି । ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନାନୁସାରେ ଗତକାଲି ଗୁରୁବାର ଦିନ ମାତ୍ର ୧୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସ୍ଥଳେ ଆଜି ଏହି ସଂଖ୍ୟା ବଢି ୪୬ ହୋଇଯାଇଛି । ଏପରିସ୍ଥଳେ ଆସନ୍ତାକାଲି ଲୋକେ ଦୀପାବଳି ପାଳନ କେମିତି କରିବେ ଏହାହିଁ ଏଠାରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏହାକୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪୦୮ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ସୁସ୍ଥତାହାର ୯୫.୬୮ ପ୍ରତିଶତ ସହିତ ସମୁଦାୟ ୮୦୩୧ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ମୁତାବକ କରୋନା ଯୋଗୁଁ ୫୦ଜଣଙ୍କ ମୃତ୍ୟୁ ହୋଇଛି, ଯଦିଓ ବେସରକାରୀ ଭାବେ ଏହା ୨୦୦ରୁ ଅଧିକ କୁହାଯାଉଛି । ଏହାପରେ ବାକି ସକ୍ରିୟ ୩୨୭ ଜଣଙ୍କ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯାଉଛି । ବର୍ତ୍ତମାନ ଅଧିକାଂଶ ଲୋକେ ଘରେରହି ହୋମ ଆଇସୋଲେଶନରେ ଚିକିତ୍ସା କରାଇବା ପାଇଁ ଇଚ୍ଛା ଜଣାଉଥିବାରୁ ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ ଚିକିତ୍ସାଳୟରେ ଆଦୌ ଭିଡ ହେଉନାହିଁ । ଗତକାଲିର ସ୍ଥିତି ଅନୁସାରେ ସମ୍ବଲପୁର କୋଭିଡ ହସ୍ପିଟାଲରେ ୫, ଭିମସାର କୋଭିଡ ହସ୍ପିଟାଲରେ ୫୫ ଓ ପୂର୍ବରୁ ପ୍ରତିଷ୍ଠିତ ବୁର୍ଲା କୋଭିଡ କେୟାର ସେଣ୍ଟରରେ ୧୮ ଜଣଙ୍କ ଚିକିତ୍ସା ହେଉଥିବାବେଳେ ହୋମ ଆଇସୋଲେଶନରେ ରହି ୨୩୩ ଜଣଙ୍କ ଚିକିତ୍ସା ଚାଲୁଥିଲା ।