ବିଡିଓଙ୍କ ନାମରେ ଥାନାରେ ମାମଲା ପରେ ଖୋଲିପାରେ ଆବାସ ଦୁର୍ନୀତିର ଗୁମର !

0 1,560

ବୌଦ୍ଧ,୨୧/୧୧ – ବୌଦ୍ଧବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତରେ ଆବାସ ଯୋଜନାରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଯାଇ ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ ମାମଲାରେ ଛନ୍ଦି ହୋଇଛନ୍ତି । ଅଭିଯୋଗକାରୀଙ୍କ ଘରକୁ ଅଭିଯୋଗର ତଦନ୍ତ ପାଇଁ ଯାଇଥିବା ବେଳେ ସେ କୁଆଡେ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ କାରିଣୀ ବଡମାଲ୍‌ ଗ୍ରାମର ସ୍ୱର୍ଗତ କାର୍ତ୍ତିକ ନାଏକଙ୍କ ଝିଅ ମଞ୍ଜୁ ବୌଦ୍ଧ ଆଦର୍ଶ ଥାନାରେ ଏଟ୍ରୋସିଟି ମାମଲା ଦାଖଲ୍‌ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମଞ୍ଜୁଙ୍କ ବାପା କାର୍ତ୍ତିକ ନାଏକଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସିଥିଲା । କାର୍ତ୍ତିକ ତା ୨୯. ୧୦. ୨୦୧୯ ରିଖରେ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଆବାସ ଯୋଜନାର ତିନି କିସ୍ତି ଟଙ୍କା ତାଙ୍କ ଜମାଖାତାକୁ ଆସିଥିଲା । କୌଣସି ଘର ନିର୍ମାଣ ନ ହୋଇ ମଧ୍ୟ ଟଙ୍କା ଆସିଥିଲା ଓ ୨୦୧୯ ନଭେମ୍ବର ୩ ତାରିଖରେ ୨୦ ହଜାର, ୨୦୨୦ ଜୁଲାଇ ୧୩ ତାରିଖରେ ୩୦ ହଜାର ଓ ଜୁଲାଇ ୨୦ ତାରିଖରେ ପୁଣି ୨୦ ହଜାର ମୃତକଙ୍କ ଖାତାରୁ ଉଠାଣ ହୋଇଛି । କୌଣସି ସୂତ୍ରରୁ ଖବରପାଇ ମଞ୍ଜୁ ତାଙ୍କର ମୃତ ବାପାଙ୍କ ଖାତାରୁ କେହି ଟଙ୍କା ହଡପ କରିଥିବା ଅଭିଯୋଗ ଆଣିଥିଲେ । ଗତ ଅକ୍ଟୋବର ମାସରେ ବୌଦ୍ଧ ବିଡିଓ ଶ୍ରୀ ଦାଶ ଘଟଣାର ତଦନ୍ତ ପାଇଁ ଅଭିଯୋଗକାରିଣୀ ମଞ୍ଜୁ ନାଏକଙ୍କ ଘରକୁ ଯାଇଥିଲେ । ଟଙ୍କାଉଠାଣ ସମ୍ପର୍କରେ ମଞ୍ଜୁ କିଛି ଜାଣି ନଥିବା ବିଡିଓ ଙ୍କୁ କହିଥିଲେ । ଘର ମଧ୍ୟ ନିର୍ମାଣ ହୋଇ ନଥିବା ଦେଖିବାକୁ ମିଳିଥିଲା । ତଦନ୍ତର ମାସକ ପରେ ଅର୍ଥାତ୍‌ ଗତ ନଭେମ୍ବର ୧୯ ତାରିଖରେ ମଞ୍ଜୁ ବୌଦ୍ଧ ବିଡିଓ ଙ୍କ ନାମରେ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ କରି ଥାନାରେ ଏଟ୍ରୋସିଟି ମାମଲା ଦାଖଲ୍‌ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ କାର୍ତ୍ତିକଙ୍କ ଜମାଖାତାରୁ ଏଟିଏମ ମାଧ୍ୟମରେ ତିନି କିସ୍ତିର ଟଙ୍କା ଉଠାଣ ହୋଇଛି । ଯଦି ଏ କଥା ସତ ତେବେ କାର୍ତ୍ତିକଙ୍କ ଏଟିଏମ କାହା ପାଖରେ ଥିଲା କିମ୍ବା କାହାକୁ ସେ ଦେଇଥିଲେ କି ସେ ସମ୍ପର୍କରେ ଦଦନ୍ତ କରାଯିବା ଦରକାର । ଦ୍ୱିତୀୟତଃ ବିନା ଗୃହ ନିର୍ମାଣରେ ତିନୋଟି କିସ୍ତିର ଟଙ୍କା ବ୍ଲକ୍‌ କାର୍ଯ୍ୟାଳୟରୁ କିଭଳି ହିତାଧିକାରୀଙ୍କ ପାସ୍‌ବୁକକୁ କିଏ ଛାଡିଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଯଦି ବିଡିଓ ଜାତିଆଣ ଆକ୍ଷେପ କରିଥିବା ସତ ତେବେ ତୁରନ୍ତ ଥାନାରେ ଏଟ୍ରୋସିଟି ମାମଲା ନକରି ମାସେ ପରେ କରିବାରେ ରାଜନୀତି ହୋଇଥିବା ଆଶଙ୍କା ସୃଷ୍ଟି ହେଉ ନାହିଁକି? ଘର ସାମ୍ନାରେ ହିତାଧିକାରୀଙ୍କୁ ଛିଡା କରାଇ ପ୍ରତ୍ୟେକ ସ୍ତରର ଫୋଟ ଛାଡିଲେ ଯାଇ ଆବାସ ଯୋଜନା ବିଲ୍‌ ହୁଏ, ମୃତ କାର୍ତ୍ତିକଙ୍କ କ୍ଷେତ୍ରରେ କାହାର ଫୋଟ ଉଠାଇ ବିଲ୍‌ କରାଯାଇଛି ତାହା ମଧ୍ୟ ତଦନ୍ତ ସାପେକ୍ଷ । ଜନସାଧାରଣ ଆଶଂକା କରୁଛନ୍ତି ଯେ ବିଡିଓ ଙ୍କ ନାମରେ ଅଭିଯୋଗ କରି ହିତାଧିକାରୀଙ୍କ ଟଙ୍କା ହଡପ ଘଟଣାକୁ ଅନ୍ୟ ମୋଡ ଦେବାକୁ ଚେଷ୍ଟା କରାଯାଉନାହିଁ ତ ? ଦେଖାଯାଉ ବିଡିଓଙ୍କ ତଦନ୍ତ ଓ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି ଓ ଅସଲ ଯିଏ ଦୋଷୀ ଧରା ପଡୁଛି ନା ନାହିଁ ।

hiranchal ad1
Leave A Reply

Your email address will not be published.

13 − nine =