ବୌଦ୍ଧ,୨୩/୧୧ – କୃଷି ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ତରଫରୁ ବିଭିନ୍ନ ଗ୍ରାମରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଗୋଷ୍ଠୀଖଳା । ମାତ୍ର ବିଡମ୍ବନାର ବିଷୟ ହେଲା ଉକ୍ତ ଖଳାରେ ଧାନ ଅମଳ ପରିବର୍ତ୍ତେ ଲୋକେ ଅନ୍ୟାନ୍ୟ ଅଣ କୃଷି ସାମଗ୍ରୀ ରଖି ଅବରୋଧ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ସରକାରୀ ଜମିରେ ଆର.ଏମ.ସି. ଓ କୃଷି ବିଭାଗ ସରକାରୀ ଅର୍ଥ ବ୍ୟୟ କରି ନିର୍ମାଣ କରିବା ପରେ ସେସବୁ କେମିତି ବ୍ୟବହାର ହେଉଛି ତାହା ଆଉ ଦେଖୁନାହିଁ । ଖଳାରେ କିଏ ବାଲି ପଥର, ଚିପ୍ସ, ମେଟାଲ ରଖୁଛି ତ କିଏ ଗୋବର ଘଷି ଶୁଖାଇ ଜବରଦଖଲ କରି ରଖିଛି । ଅପରପକ୍ଷରେ ଚାଷୀ କୋଉ ରାସ୍ତା ଉପରେ କିମ୍ବା ଲୋକଙ୍କ ଯାତାୟାତ ସ୍ଥାନରେ ଧାନ ବିପଦ ଜନକ ଅବସ୍ଥାରେ ଧାନ ଅମଳ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଏକ ଦୃଶ୍ୟ ହରଭଙ୍ଗା ବ୍ଲକ ସୀମାନ୍ତ ବନ୍ଧାପଥର ଗ୍ରାମ ପଞ୍ଚାୟତର ଭେଜିମାଲ୍ ଗୋଷ୍ଠୀ ଖଳାରେ ଦେଖିବାକୁ ମିଳୁଛି । କେହି ଜଣେ ବିଭିନ୍ନ ନିର୍ମାଣ ସାମଗ୍ରୀ ଗୋଷ୍ଠୀ ଖଳା ଉପରେ ଓ ନିକଟରେ ଥିବା ଗୋଚର ଜମିରେ ଜମା କରି ଜବରଦଖଲ କରି ରଖିଛନ୍ତି ।
ବର୍ତ୍ତମାନ ଧାନ ଅମଳ ସମୟ ଚାଲିଥିବାରୁ ଭେଜିମାଲ୍ ଗ୍ରାମର ଚାଷୀମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । କୃଷି ବିଭାଗର ଏ ଗୋଷ୍ଠୀ ଖଳା ଉପରେ ନିର୍ମାଣ ସାମଗ୍ରୀ ରଖା ଯାଇଥିବା ଯୋଗୁଁ ଧାନ ଅମଳ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । କୃଷି ବିଭାଗ ଏ ସମ୍ପର୍କରେ ପଦକ୍ଷେପ ନେଇ ଲୋକଙ୍କ ଦ୍ୱାରା ବ୍ୟକ୍ତିଗତ ବ୍ୟବହାର କରାଯାଉଥିବା ଗୋଷ୍ଠୀଖଳା ଗୁଡିକୁ ଜବରଦଖଲ ମୁକ୍ତ କରି ଅମଳ କାର୍ଯ୍ୟରେ ଲୋକଙ୍କୁ ବ୍ୟବହାର କରିବାକୁ ସୁଯୋଗ ସୃଷ୍ଟି କରାଯାଉ ବୋଲି ଜନସାଧାରଣରେ ଦାବି ହେଉଛି ।