ବଲାଙ୍ଗୀର,୮/୧୨: ସର୍ବଭାରତୀୟ ସ୍ତରରେ ଆଜି କୃଷକମାନେ ବନ୍ଦର ଡାକରା ଦେଇଛନ୍ତି । ଏହି ଅବସରରେ କୋଶଳାଞ୍ଚଳର ଚାଷୀ ସଂଗଠନ ମାନଙ୍କୁ ନୈତିକ ସମର୍ଥନ ଦେବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତି ନିଷ୍ପତ୍ତି କରି ପୂର୍ବଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକାତ୍ମକ ଧାରଣା ଦେଇଛି । କୋଶଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତୀକାତ୍ମକ ଧାରଣାରେ କୋଶଳ ଆନ୍ଦୋଳନ ସହ ବହୁ ବୁଦ୍ଧିଜୀବୀ, ସଂଗଠକ ଓ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସାରା ଭାରତର ଚାଷୀ ୧୯୪୭ ମସିହାପରେ କ୍ରମାଗତ ଭାବେ ଉପେକ୍ଷିତ ହୋଇ ଆସିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସନ କରିଥିବା ବିଭିନ୍ନ ସରକାର କେବଳ ରାଜନୀତି କରିବାପାଇଁ ଚାଷୀର ନାଁ ଦେଇଥିଲେ ମଧ୍ୟ ବାସ୍ତବରେ ସମସ୍ତେ ଚାଷୀ ବିରୋଧୀ ପଦକ୍ଷେପ ହିଁ ଗ୍ରହଣ କରିଛନ୍ତି । ବିଶେଷକରି କୋଶଳାଞ୍ଚଳର ଚାଷୀର ଅବସ୍ଥା ଅବର୍ଣ୍ଣନୀୟ । ଲାଗ୍ ଲାଗ୍ ମରୁଡିର ଶିକାର ହୋଇ କୋଶଳାଞ୍ଚଳର ଚାଷୀ ବାଧ୍ୟହୋଇ ଦାଦନ ଖଟି ଯାଉଛନ୍ତି ଅନାହାର ମୃତ୍ୟୁର ଶିକାର ହେଉଛନ୍ତି । ଗତ ୩ବର୍ଷ ମଧ୍ୟରେ ୩ଶହରୁ ଅଧିକ ଚାଷୀ ଆତ୍ମହତ୍ୟା ଘଟଣା ଘଟିଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଅନ୍ୟପକ୍ଷରେ କଟନିଛଟନି ବ୍ୟବସ୍ଥାକରି ଚାଷୀକୁ ଉଭୟ ମଣ୍ଡି ଓ ଦଲାଲ ଦ୍ୱାରା ଶୋଷଣ କରାଯାଇଛି । ଚାଷୀର ସମସ୍ୟା କେବଳ କୋଶଳ ରାଜ୍ୟ ଗଠନ ହେଲେଯାଇ ସମ୍ଭବ ହେବ ବୋଲି କୋଶଳବାଦୀ ନେତା ଶ୍ରୀ ମିଶ୍ର ମତ ଦେଇଛନ୍ତି । କୋଶଳ ଓ କୃଷକ ପରସ୍ପରର ଅବିଚ୍ଛେଦ୍ୟ ଅଙ୍ଗହୋଇ ଥିବାରୁ କୋଶଳ ରାଜ୍ୟ ସମନ୍ୱୟ ସମିତି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ସୂଚନା ଦେଇଛନ୍ତି । ଏହି ପ୍ରତୀକାତ୍ମକ ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ବଲାଙ୍ଗୀର ଜିଲ୍ଲା ସଭାପତି ବିକ୍ରମାନନ୍ଦ ବହିଦାର, କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଞ୍ଜନ ସାହୁ, କେନ୍ଦ୍ରୀୟ ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର, ବଲାଙ୍ଗୀର ଜୋନ ସଂଯୋଜକ ଶରତ ହୋତା, ବିଶିଷ୍ଟ ଶ୍ରମିକ ନେତା ରବିଶଙ୍କର ମିଶ୍ର, ବିଶିଷ୍ଟ କୋଶଳବାଦୀ ନେତା ରଣରାଜ ସିଂଦେଓ, ଶିକ୍ଷାବିତ ଗୋପଭୂଷଣ ନାଥ, ନାରୀନେତ୍ରୀ ନିରୁପମା ଉଦଗାତା, ବନଲତା ମାଝୀ, କର୍ମଚାରୀ ନେତା ପୁଲିନ ମିଶ୍ର, ଜ୍ୟୋତି ରଂଜନ ମହାନ୍ତି, ଯୁବନେତା ପ୍ରସନ୍ନ ନେଗୀ, ଅଚ୍ୟୁତ ସିପୁନ ଖମାରୀଙ୍କ ସମେତ ବହୁ ବୁଦ୍ଧିଜୀବି ଓ ସଂଗଠକ ଯୋଗ ଦେଇଥିଲେ ।