ବୌଦ୍ଧ,୧୧/୧୨- କଣ୍ଟାମାଳ ବ୍ଲକ ପଲସାଗୋରା ବସଷ୍ଟାଣ୍ଡର ଗୋଟିଏ ମୋବାଇଲ ଦୋକାନ ଓ ଚା ଦୋକାନର କାନ୍ଥ ଭାଙ୍ଗି ଗୁରୁବାର ରାତିରେ କେହି ଚୋରୀ କରି ନେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତିରେ ପଲସାଗୋରା ବସଷ୍ଟାଣ୍ଡ ନିକଟରେ ଥିବା ସୁରେନ୍ ମହାକୁଡଙ୍କ ମୋବାଇଲ ଦୋକାନ ଓ ମାନ ଭଞ୍ଜନ ବଗର୍ତ୍ତୀଙ୍କ ଚା ପାନ ଦୋକାନର କାନ୍ଥ ଭାଙ୍ଗି ଭିତରେ ପଶି ଲକ୍ଷାଧିକ ଟଂକାର ସାମଗ୍ରୀ କେହି ଚୋରୀ କରି ନେଇଥିବା ସୂଚନା ମିଳିଛି l ମୋବାଇଲ ଦୋକାନରୁ ଅନେକ ଗୁଡିଏ ମୋବାଇଲ, ଇଅର ଫୋନ୍, ବ୍ୟାଟେରୀ ଆଦି ଚୋରୀ ହୋଇଥିବା ବେଳେ ଚା ପାନ ଦୋକାନରୁ ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡିଛି l ଆଜି ସକାଳେ ଚୋରୀ ହୋଇଥିବା ଖବର ପାଇବା ପରେ ଦୋକାନ ମାଲିକ ମାନେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି | ପୋଲିସ୍ ତଦନ୍ତ କରିବା ପରେ ଏ ସମ୍ପର୍କରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି l