ଦାରିଙ୍ଗବାଡି,୧୫/୧୨: ସ୍କୁଲ ଜମି ଓ ରାଜସ୍ୱ ବିଭାଗ ଜମି ଜବରଦଖଲ ଉଚ୍ଛେଦ କରିବାପାଇଁ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ସିମନବାଡି ସ୍ଥିତ ସ୍କୁଲ ଜମିରେ ପହଞ୍ଚି ରାସ୍ତା କଡରେ ଥିବା ସ୍କୁଲ ଜମି ଓ ରାଜସ୍ୱ ଜମିରେ ଜବରଦଖଲ କରିଥିବା ଦୋକାନୀବାଲାଙ୍କୁ ଦୋକାନ ନିଜେନିଜେ ଉଚ୍ଛେଦ କରିବାପାଇଁ ୭ ଦିନ ସମୟ ଦେଇଥିବାବେଳେ ରାଜସ୍ୱ ବଙ୍ଗଳା ପାଚେରୀ ମଧ୍ୟରେ ଜବରଦଖଲ କରିଥିବା ଲୋକଙ୍କୁ ଜୁନ ମାସ ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏଭଳିକି ରାଜସ୍ୱ ବିଭାଗ ପାଚେରୀ ମଧ୍ୟରେ ରହୁଥିବା ଲୋକମାନେ ପାଇଥିବା ୧୬ ଆର ଘରବାରି ଜମି ଚିହ୍ନଟ କରାଇ ସେମାନଙ୍କୁ ଯଥା ଶୀଘ୍ର ସ୍ଥାନାନ୍ତରିତ କରିବାପାଇଁ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାକଡରେ ଥିବା ରାଜସ୍ୱ ଜମି ଓ ସ୍କୁଲ ଜମି ମଧ୍ୟରେ ଥିବା ଜମି ଯଦି ଜବରଦଖଲକାରୀ ସାତ ଦିନ ଭିତରେ ଖାଲି ନକରନ୍ତି ତାହାହେଲେ ପ୍ରଶାସନ ବାଧ୍ୟହୋଇ ଜବରଦଖଲ ଉଚ୍ଛେଦ କରାଇବ ବୋଲି ତହସିଲଦାର ଜବରଦଖଲକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଜମିରେ ଜବରଦଖଲକାରୀମାନେ ସ୍ଥାୟୀ ଭାବେ ଦୋକାନ ଘର ସହ ଜମିରେ ତାରବାଡ଼ ବୁଲାଇ ଜମିକୁ ନିଜ ଦଖଲରେ ରଖିଛନ୍ତି । ସିମନବାଡି ମୁଖ୍ୟ ବଜାର ନିକଟରେ ସରକାରୀ ଜମିରେ ଏଭଳି ଭାବେ ଜବରଦଖଲ ହୋଇଥିବା ଦେଖି ତହସିଲଦାର ବିରକ୍ତି ପ୍ରକାଶ କରିଥିଲେ । ଏହା ପରେ ତହସିଲଦାର ଦାରିଙ୍ଗବାଡି ଅଭିମୁଖେ ଯାଇଥିଲେ । ସ୍କୁଲ ଜମି ଓ ରାଜସ୍ୱ ଜମି ଜବର ଦଖଲ ନେଇ ବହୁବାର ଗଣମାଧ୍ୟମରେ ଖବର ପ୍ରକାଶ ହେବାରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିଥିବାବେଳେ ଖବର ପ୍ରକାଶ କରିଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜବରଦଖଲକାରୀମାନେ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ଫୋଟୋ ଉଠାଇବା ସମୟରେ ମୋବାଇଲକୁ ହାତ ମାରିଦେଇଥିଲେ । ଏଥିସହିତ ମାରିବାକୁ ମଧ୍ୟ ଧମକ ଦେଇଥିଲେ ।