ବୌଦ୍ଧ,୨୪/୧ – ଆଜି ଅପରାହ୍ନ ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ବୌଦ୍ଧ ସହର ମହିଳା କଲେଜ ନିକଟରେ ରାସ୍ତା କଡରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଜଣେ ମହିଳାଙ୍କୁ ସ୍ୱେଚ୍ଛାସେବୀମାନେ ଉଦ୍ଧାରକରି ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ମହାନଦୀ ବ୍ରିଜ ଛକ ନିକଟ ସ୍ୱାସ୍ଥ୍ୟ ବିଭାଗର କଲୋନୀ ନିକଟରେ ଊର୍ମିଳା ରାଜହଂସ (୩୦) ନାମକ ଜଣେ ମହିଳା ରହି ଦୁଃଖ ମୂଲ କରି ଚଳୁଥିଲେ । ଆଜି କୌଣସି କାମରେ ସହର ଆଡକୁ ଆସୁଥିବା ବେଳେ ସଂଜ୍ଞାହୀନ ହୋଇ ରାସ୍ତା କଡରେ ପଡି ଯାଇଥିଲେ । ସେ ରାସ୍ତାଦେଇ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ରାମଚନ୍ଦ୍ର ମେହେର ସପତ୍ନୀକ ବାଇକ ଯୋଗେ ଫେରୁଥିଲେ । ତାଙ୍କୁ ଦେଖି ରାସ୍ତାରେ ଯାଉଥିବା ଏକ ବୋଲେରୋ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଅନ୍ୟ ସଦସ୍ୟ ମାନେ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇଥିଲେ । ସ୍ୱେଚ୍ଛାସେବୀ ସଂସ୍ଥାର ସଦସ୍ୟ ମାନଙ୍କ ଏଭଳି ମାନବିକତାକୁ ଜନସାଧାରଣରେ ପ୍ରଶଂସା କରାଯାଉଛି ।