ବୌଦ୍ଧ,୨୫/୧ – ବୌଦ୍ଧ ଜିଲ୍ଲାରେ ଚଳିତ ଖରିଫ 2020 -21 ରେ ଟୋକନ ପାଇଥିବା ଚାଷୀ ମାନେ ତାଙ୍କର ଧାନ ମଣ୍ଡିରେ ସର୍ବନିମ୍ନ ସହାୟକ ଦରରେ ବିକି ପାରିବା ନେଇ ସନ୍ଦେହ ଦେଖା ଦେଇଛି l ପ୍ରଥମ ପର୍ଯ୍ୟାୟରେ ଆସିଥିବା 10 ଲକ୍ଷ କ୍ବିଣ୍ଟାଲ୍ ଧାନ ଜାନୁଆରୀ ତୃତୀୟ ସପ୍ତାହ ମଧ୍ୟରେ 42 ଗୋଟି ପେକ୍ସ ମାଧ୍ୟମରେ କ୍ରୟ କରାଯାଇଥିବା ସୁଚନା ମିଳିଛି l ଦ୍ବିତୀୟ ପର୍ଯ୍ୟାୟରେ ଆସିଥିବା 2 ଲକ୍ଷ କ୍ବିଣ୍ଟାଲ୍ ଧାନ କ୍ରୟ ଧାର୍ଯ୍ୟ ଲକ୍ଷ ଜାନୁଆରୀ ଶେଷ ସୁଦ୍ଧା ପୁରଣ ହୋଇଯିବାର ସମ୍ଭାବନା ରହିଛି | ଆଜି ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ବିଭିନ୍ନ ପେକ୍ସର ସମ୍ପାଦକଙ୍କୁ ଦେଇଥିବା ବାର୍ତ୍ତା ଅନୁଯାୟୀ ଏକାଧିକ ଟୋକନ ପାଇଥିବା ବଡ଼ ବଡ଼ ଚାଷୀ ମାନଙ୍କ ଧାନ ଆଉ କ୍ରୟ କରାଯିବ ନାହିଁ | କେବଳ ଗୋଟିଏ ଟୋକନର ଧାନ ହିଁ ମଣ୍ଡିରେ ସେମାନେ ବିକି ପାରିବେ | ଯେଉଁ ସମିତି ମାନେ ଗତ ବର୍ଷ ତୁଳନାରେ 75% ରୁ ଅଧିକ ଧାନ କିଣି ସାରିଲେଣି ସେମାନେ ଆସନ୍ତା 27 ତାରିଖରୁ କେବଳ ଆଦୌ ଧାନ ବିକି ନଥିବା ଚାଷୀଙ୍କୁ ଟୋକେନ ଦେବେ ଏବଂ ସେମାନଙ୍କ ଧାନ କେବଳ କିଣିବେ l ସେହିପରି ଯେଉଁ ସମିତି ମାନେ ଟାର୍ଗେଟର ମାତ୍ର 50/60 % କିଣିଛନ୍ତି ସେମାନେ ଦ୍ବିତୀୟ ଥର ଆସିଥିବା ଟୋକେନର ଧାନ କିଣିପାରିବେ l ସହକାରୀ ନିବନ୍ଧକଙ୍କ ଏ ନିର୍ଦ୍ଦେଶ ପରେ ଚାଷୀ ମାନେ ତାଙ୍କ ଧାନ ବିକିବା ନେଇ ଆଶଙ୍କାରେ ପଡିଛନ୍ତି l ଏହା ଦ୍ବାରା ଜିଲ୍ଲାରେ ହଜାର ହଜାର ପଂଜିକୃତ ଚାଷୀ ହଇରାଣ ହେବା ସହ ଅଭାବୀ ବିକ୍ରୀର ଶିକାର ହେବା ସମ୍ଭାବନା ରହିଛି | କେତେକ ଚାଷୀ ଏ ନିଷ୍ପତିକୁ ପ୍ରତିବାଦ କରି ରାଜ ରାସ୍ତାକୁ ଓଲ୍ହାଇବା ପାଇଁ ପ୍ରସ୍ତୁତ ହେଉଥିବା ଜଣା ପଡିଛି l ଜିଲ୍ଲାରେ ମାତ୍ର ଦେଢ ମାସ ମଣ୍ଡି ଚାଲି ନ ପାରିବା ଚାଷୀଙ୍କୁ ଆଶ୍ଚର୍ଯ୍ୟ କରିଛି | ଜିଲ୍ଲାପାଳ ମହୋଦୟ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବୀ ହେଉଛି |