ପ୍ରଶାସନର ନୂଆ ଟୋକନ ବ୍ୟବସ୍ଥା, ପେକ୍ସ ସଂପାଦକ ନୟାନ୍ତ !

0 1,202

ବୌଦ୍ଧ,୬/୨ – ଗତ ଜାନୁଆରୀ ୨୧ ତାରିଖ ଦିନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାନକ୍ରୟ କମିଟି ବୈଠକରେ ଚାଷୀ କିଭଳି ସୁରୁଖୁରୁରେ ଧାନ ବିକି ପାରିବେ ସେ ସମ୍ପର୍କରେ କିଛି ପଦକ୍ଷେପ ନେଇଥିବା ଜଣାପଡିଛି । ଧାନକ୍ରୟ ଟାର୍ଗେଟର ସିଂହ ଭାଗ ଅର୍ଥାତ୍‌ ୧୦ ଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି ସରିବାପରେ ମଣ୍ଡିରେ ନୀତିନିୟମ କଡାକଡି କରିବାର କିଛି ମାନେ ନାହିଁ ବୋଲି ଚାଷୀମାନେ ଆଲୋଚନା କରୁଛନ୍ତି । ଚୋର ଗଲାପରେ କବାଟରେ ତାଲା ପକାଇ ଠେଙ୍ଗା ଧରି ବସିବା ସହ ଏ ନିୟମକୁ ତୁଳନା କରୁଛନ୍ତି । ଅନ୍ୟ ଏକ ନିୟମ ହେଲା ଯେ ସମିତିର ସମ୍ପାଦକ, ପ୍ରଶାସକ ଓ ଅତିରିକ୍ତ ତହସିଲଦାରଙ୍କ ଦସ୍ତଖତ ଟୋକନରେ ପଡିଲେ ଯାଇ ତାହା ବୈଧ । ଚାଷୀ ସେଭଳି ଟୋକନ ସମିତିରୁ ସଂଗ୍ରହ କଲାପରେ ଯାଇ ମଣ୍ଡିକୁ ଧାନ ଆଣିବ ନଚେତ୍‌ ଧାନକୁ ଜବତ୍‌ କରାଯିବ । ଚଳିତବର୍ଷ ପୂର୍ବଦିନହିଁ ଟୋକନ ପ୍ରକାଶ ପାଉଛି । ସମିତି ସଂପାଦକମାନେ ତାକୁ ଡାଉନଲୋଡ କରି ପ୍ରିଣ୍ଟ କରି ନିଜେ ସ୍ୱାକ୍ଷର କରିବା ପରେ ସମିତିର ପ୍ରଶାସକଙ୍କ ନିକଟକୁ ସ୍ୱାକ୍ଷର ପାଇଁ ନେବେ । ଗୋଟିଏ ଗୋଟିଏ ବ୍ୟକ୍ତି ୧୨/୧୫ ଟି ସମିତିର ପ୍ରଶାସକ ଦାୟିତ୍ୱରେ ରହିଛନ୍ତି । ଫଳରେ ମଣ୍ଡି ଛାଡି ସମ୍ପାଦକମାନେ ବୌଦ୍ଧ ଏ.ଆର.ସି.ଏସ. କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସକଙ୍କ ନିକଟକୁ ଆସି ଧାଡିରେ ରହିବାକୁ ବାଧ୍ୟ ହେଉଛନ୍ତି । ବୌଦ୍ଧ ସହରଠାରୁ ଶହେ କିଲୋମିଟର ଦୂରରେ ଥିବା ଉମା, ଘଣ୍ଟାପଡା, ବରଗାଁ, ନାରାୟଣ ପ୍ରସାଦ ଓ ସୀମାନ୍ତ ଆଡେଣିଗଡ, କୁଶଙ୍ଗ ଆଦି ସମିତିର ସମ୍ପାଦକମାନେ ବୌଦ୍ଧ ଆସି ପ୍ରଶାସକଙ୍କ ସ୍ୱାକ୍ଷର କରାଇବାରେ ନୟାନ୍ତ ହେଉଛନ୍ତି । ସେହିପରି ପ୍ରଶାସକଙ୍କ ସ୍ୱାକ୍ଷର କରିବା ପରେ ସଂପୃକ୍ତ ତହସିଲର ତହସିଲଦାର / ଅତିରିକ୍ତ ତହସିଲଦାରଙ୍କ ନିକଟକୁ ଯାଇ ଦସ୍ତଖତ କରାଇବା କାଠିକର ପାଠ ହୋଇ ପଡୁଛି । ଆଗକୁ ମାର୍ଚ୍ଚ ମାସ ଥିବାରୁ ରାଜସ୍ୱ ସଂଗ୍ରହ କାର୍ଯ୍ୟ ତଦାରଖରେ ଓ ନିଜର ଦୈନନ୍ଦିନ କାର୍ଯ୍ୟରେ ତହସିଲଦାର /ଅତିରିକ୍ତ ତହସିଲଦାର ବ୍ୟସ୍ତ ରହୁଥିବାବେଳେ ତାଙ୍କୁ ଏ ଅତିରିକ୍ତ କାର୍ଯ୍ୟରେ ନିୟୋଜିତ ହେବା ବହୁତ କଷ୍ଟ ହେଉଥିବା ଅଭିଯୋଗ ହୁଏ । ମଣ୍ଡିରେ ଟ୍ରକ୍‌ ସମସ୍ୟା ଓ ରାତିରାତି ଧରି ମଣ୍ଡିରେ ଶୋଇ ନୟାନ୍ତ ହେଉଥିବା ଚାଷୀଙ୍କ କଥା ବୁଝିବାକୁ ସମ୍ପାଦକଙ୍କ ନିକଟରେ ସମୟ ମିଳୁନାହିଁ । ସମ୍ପାଦକ ମାନଙ୍କ ଟୋକନ ଦସ୍ତଖତରେ ସମୟ ଯାଉଥିବା ବେଳେ ସମିତିର ଧାନ କ୍ରୟ ଅଧିକାରୀ ହୋଇ ମଧ୍ୟ ଧାନ କ୍ରୟ ସମୟରେ ତାଙ୍କ ଅନୁପସ୍ଥିତିରେ ଧାନ କ୍ରୟ ଚାଲୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି । ଜିଲ୍ଲାପାଳ ଟୋକନ ବ୍ୟବସ୍ଥାର ସରଳୀକରଣ ପାଇଁ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

10 + 2 =