ବୌଦ୍ଧ,୭/୨ – ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ବିଦାୟୀ ସଂପାଦକ ସୁରେନ୍ଦ୍ର କୁମାର ପ୍ରଧାନ ବଦଳି ହେବାପରେ ପିଛିଲା ଭାବେ ଅନେକ କର୍ମଚାରୀଙ୍କ ବଦଳି ଉଦ୍ଦେଶ୍ୟମୁଳକ ଭାବରେ କରିଥିଲେ । ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପ୍ରଶାସକ ଦାୟିତ୍ୱରେ ଥିବା ଜିଲ୍ଲାପାଳଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ହେବାପରେ ବଦଳି ଆଦେଶର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନୂତନ ସଂପାଦକ ମନମୋହନ ବେହେରାଙ୍କୁ ଗତ ୨୫ ତାରିଖରେ ନିର୍ଦ୍ଦେଶ ଦେଇଥିବା ଶୁଣିବାକୁ ମିଳେ । ଇତି ମଧ୍ୟରେ ଦୁଇ ସପ୍ତାହ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇପାରିନଥିବା ଜଣାପଡିଛି । ନିଜ ବଦଳି ପରେ ପିଛିଲା ତାରିଖରେ କର୍ମଚାରୀଙ୍କ ବଦଳି କରାଇ ପୂର୍ବତନ ସଂପାଦକ ତ ଚାଲିଗଲେ କିନ୍ତୁ ବ୍ୟାଙ୍କରେ ଅଚଳାବସ୍ଥା ସୁଧୁରି ପାରୁନାହିଁ । କଣ୍ଟାମାଳ ଶାଖାରୁ ତପନ କୁମାର ମେହେର ନାମକ ଜଣେ କର୍ମଚାରୀଙ୍କୁ ଯୋଗୀନ୍ଦ୍ରପୁର ସମବାୟ ସମିତିର ସମ୍ପାଦକ ଭାବେ ବଦଳି କରାଯାଇଥିଲା । ସେହିପରି ସମିତିର ସମ୍ପାଦକ ଥିବା ସର୍ବେଶ୍ୱର ହୋତାଙ୍କୁ ମନମୁଣ୍ଡା ସମବାୟ ବ୍ୟାଙ୍କ ଶାଖାକୁ ଅଣାଯାଇଥିଲା । ବର୍ତ୍ତମାନ ଧାନ କ୍ରୟ ଚାଲିଥିବାରୁ ସର୍ବେଶ୍ୱର ହୋତାଙ୍କୁ ରିଲିଭ କରିବାକୁ କିମ୍ବା ତପନ ମେହେରଙ୍କ ଜଏନିଂ ରିପୋର୍ଟ ରଖିବାକୁ ସମିତିର ପ୍ରଶାସକ ଥିବା ସମବାୟ ନିରୀକ୍ଷକ ମନା କରିବାପରେ ତାହା ଆଲୋଚନାର ବିଷୟ ବସ୍ତୁ ସାଜିଛି । କଣ୍ଟାମାଳ ସମବାୟ ବ୍ୟାଙ୍କର ଶାଖାରୁ ରିଲିଭ ହୋଇ ସାରିଥିବା ଶ୍ରୀ ମେହେର ଆସି ବାଧ୍ୟହୋଇ ବୌଦ୍ଧ ମୁଖ୍ୟ କାର୍ଯ୍ୟାଳୟରେ ଜଏନ କରିଛନ୍ତି । ସେ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ବଦଳି ଆଦେଶକୁ ବାତିଲ କରିବାପାଇଁ କାଗଜପତ୍ର ପ୍ରମାଣ ସହ ସଂପାଦକ ଓ ଜିଲ୍ଲାପାଳ ତଥା ପ୍ରଶାସକଙ୍କୁ ଲିଖିତ ଜଣାଇଥିବା ସୁଚନା ମିଳିଛି । ବ୍ୟାଙ୍କରେ ଏଭଳି ଅଚଳାବସ୍ଥା ଲାଗି ରହିଥିବାବେଳେ ନୂତନ ସମ୍ପାଦକ ଶ୍ରୀ ବେହେରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନପାରିବାରୁ କର୍ମଚାରୀ ଓ ସମବାୟ ପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗୁଛି । ଏ ସଂପର୍କରେ ଜିଲ୍ଲାପାଳ ତଥା ପ୍ରଶାସକ ତୁରନ୍ତ ନିଷ୍ପତି ନେବାକୁ ଦାବୀ ହେଉଛି ।