ବୌଦ୍ଧ/ବାଉଁଶୁଣୀ,୭/୨ – ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସାହାଜପାଲ୍ ଛକ ନିକଟରେ ଥିବା ପ୍ରଜିତା ଜ୍ୱେଲର୍ସରୁ ଗତ ଜାନୁଆରି ୨୦ ତାରିଖରେ ହୋଇଥିବା ଲୁଟ ମାମଲାର ଅଭିଯୁକ୍ତଙ୍କୁ ଧରିବାରେ ବାଉଁଶୁଣୀ ପୋଲିସ ସଫଳ ହୋଇନାହିଁ । ଲୁଟ୍ ସମୟର ସି.ସି.ଟି.ଭି. ଫୁଟେଜର କ୍ୟାସେଟ ଓ ସେଥିରୁ ସଂଗୃହିତ ଫଟୋକୁ ଜ୍ୱେଲର୍ସ ମାଲିକ ପ୍ରଦୀପ ପୃଷ୍ଟି ନିଜ ତରଫରୁ ସଂଗ୍ରହ କରି ଥାନାରେ ଦେଇଥିଲେ ମଧ୍ୟ ବାଉଁଶୁଣୀ ପୋଲିସ୍ ନିରବଦ୍ରଷ୍ଟା ସାଜିଥିବା ଆଶ୍ଚର୍ଯ୍ୟର କଥା ବୋଲି ଆଲୋଚନା ହେଉଛି । ଲୁଟ ଘଟଣାର ୨୦ ଦିନ ପାଖାପାଖି ବିତି ଯାଇଥିଲେ ମଧ୍ୟ ତଦନ୍ତରେ କୌଣସି ଅଗ୍ରଗତି ହୋଇପାରିନାହିଁ । ସ୍ପଷ୍ଟ ଦିବାଲୋକରେ ଗୋଟିଏ ଜନ ଗହଳିପୁର୍ଣ୍ଣ ବଜାର ଅଂଚଳରୁ ଲୁଟ ହୋଇଥିବା ବେଳେ ଆଖପାଖରେ ଥିବା ଦୋକାନୀ ମାନଙ୍କ ନିକଟରୁ କୌଣସି ସୁରାଗ ମଧ୍ୟ ପୋଲିସ୍ ସଂଗ୍ରହ କରିନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ବାଉଁଶୁଣୀ ପୋଲିସର ନିଷ୍କ୍ରିୟତା ବିରୋଧରେ ଜ୍ୱେଲର୍ସ ମାଲିକ ଶ୍ରୀ ପୃଷ୍ଟି ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କୁ ଗତ ସୋମବାର ଦିନ ସାକ୍ଷାତକରି ଲିଖିତ ଅଭିଯୋଗ କରିଥିଲେ । ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ବାଉଁଶୁଣି ଥାନା ଅଧିକାରୀଙ୍କୁ ୫ ଦିନ ମଧ୍ୟରେ ଆସାମୀଙ୍କୁ ଧରିବା ପାଇଁ ତାଗିଦ କରି ନିର୍ଦ୍ଦେଶ ଦେଇଥିଲେ । ୭ ଦିନ ବିତି ଯାଇଥିଲେ ସୁଦ୍ଧା ସାହାଜପାଲରେ ତଦନ୍ତ ପାଇଁ ପହଞ୍ଚିପାରିନଥିବା ଅଭିଯୋଗ ହେଉଛି । ସାହାଜପାଲ୍ ଅଂଚଳର ଜନସାଧାରଣ ଓ ବିଭିନ୍ନ ସଙ୍ଗଠନ ପୋଲିସର ନିଷ୍କ୍ରିୟତା ବିରୋଧରେ ଆଗାମୀ ଦିନରେ ବାଉଁଶୁଣି ଥାନା ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସଜବାଜ ହେଉଥିବା ସୂଚନା ମିଳିଛି ।