ନାବାଳିକାକୁ ବିବାହ କରିବା ପାଇଁ ଝିଅ ଘରର ଅନିଚ୍ଛା ସତ୍ୱେ ଜୋର ଜବରଦସ୍ତ ନେଇଗଲେ, ୮ମାସ ପରେ ଯୌତୁକ ନିର୍ଯ୍ୟାତନା ଦେଇ ପୁଣି ଘରକୁ ତଡ଼ିଦେଲେ, ନ୍ୟାୟ ପାଇଁ ପୀଡ଼ିତାଙ୍କ ପରିବାର ଥାନାର ଦ୍ୱାରସ୍ଥ, ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ଗିରଫ, ଜଣେ ଫେରାର, ଅଭିଯୁକ୍ତଙ୍କୁ ଗିରଫ କରିବାରୁ ପୁଲିସ ନାମରେ ମିଥ୍ୟା ଅଭିଯୋଗ ଆଣିଲେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତି
ଦାରିଙ୍ଗବାଡ଼ି,୨ା୪: ପ୍ରଥମେ ନାବାଳିକାଙ୍କୁ ଏକତରଫା ପ୍ରେମ ନିବେଦନ କରିଥିବାବେଳେ ନାବାଳିକା ଜଣକ ତାହାକୁ ପ୍ରତ୍ୟାଖ୍ୟାନ କରିବା ପରେ ନାବାଳିକା ଜଣଙ୍କୁ ଧମକଚମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ନଚେତ ନାବାଳିକା ଜଣକୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ପାତ୍ର ସିଂ । ଘଟଣାଟି ହେଉଛି ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ କିରିକୁଟୀ ଗ୍ରାମର । ଗ୍ରାମର ଜନୈକା ନାବାଳିକାକୁ ଗ୍ରାମର ଗଜେନ୍ଦ୍ର ସିଂ ପାତ୍ର ଏକତରଫା ପ୍ରେମ କରି ବିଫଳ ହେବା ପରେ ଧମକଚମକ ଦେଉଥିଲା । ତେବେ ଗତ ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖ ରାତି ପ୍ରାୟ ୨ଟା ସମୟରେ ଗଜେନ୍ଦ୍ର ନାବାଳିକାଙ୍କ ଘର କବାଟ ଗେଡା ଭାଙ୍ଗି ଭିତରକୁ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ବେଳେ ନାବାଳିକା ଜଣକ ଚିକ୍ରାର କରିବାରୁ ପରିବାର ଲୋକେ ଗଜେନ୍ଦ୍ରକୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ଏହାପରେ ଗଜେନ୍ଦ୍ରଙ୍କ ପରିବାର ଲୋକେ ନାବାଳିକାକୁ ନିଜ ଘରକୁ ନେଇ ୧୮ବର୍ଷ ହେବା ପରେ ଗଜେନ୍ଦ୍ର ସହିତ ବିବାହ କରିବୁ ବୋଲି କହି ନାବାଳିକାଙ୍କ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ନିଜ ଘରକୁ ନେଇ ଯାଇଥିଲେ । ସ୍ତ୍ରୀର ଅଧିକାର ସାବ୍ୟସ୍ତ କରି ମୁଖ୍ୟ ଅଭିଯୁକ୍ତ ନାବାଳିକାକୁ ଘରକୁ ନେବା ପରେ ନାବାଳିକାର ଅନିଚ୍ଛା ସତ୍ୱେ ବିଭିନ୍ନ ସମୟରେ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥି ସହିତ ଦୀର୍ଘ ୮ମାସ ରଖିବାପରେ ଯଦି ବିବାହ କରିବାକୁ ଚାହୁଁଛୁ ତେବେ ତୋ ବାପା ପାଖରୁ ୫ଲକ୍ଷ ଟଙ୍କା ଧରି ଆସେ ତା ପରେ ବିବାହ କଥା ଦେଖିବା କହି ପିଡ଼ୀତାଙ୍କୁ ତାଙ୍କ ବାପ ଘରକୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ଏହି ଘଟଣା ଘଟିବାପରେ ପିଡ଼ୀତାଙ୍କ ପରିବାର ତରଫରୁ ଏନେଇ ଦାରିଙ୍ଗବାଡ଼ି ଥାନାରେ ଗତ ଫେବୃଆରୀ ୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା କେସ ନଂ ୧୯/୨୦୨୧ ରେ ଏକ ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ସିଂ ପାତ୍ରଙ୍କୁ ଗତ ଫେବୃଆରୀ ୯ ତାରିଖରେ ମୁଖ୍ୟଅଭିଯୁକ୍ତ ଗଜେନ୍ଦ୍ର ପାତ୍ର ସିଂ ବୌଦ୍ଧ-ସୋନପୁର ସୀମାବର୍ତୀ ଉମାଗାଁ ଅଚଳରୁ ଗିରଫ କରିଥିବାବେଳେ ଅନ୍ୟ ୩ଜଣ ସହଯୋଗୀ ଫେରାର ଥିଲେ । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଦାରିଙ୍ଗବାଡ଼ି ପୁଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଫେରାର ଅଭିଯୁ୍କ୍ତଙ୍କ ସନ୍ଧାନ ପାଇ ଲୁଚିଥିବା ସ୍ଥାନରେ ଚଢାଉକରି ମୁଖ୍ୟଅଭିଯୁକ୍ତଙ୍କ ଭଉଣୀ ପୁଷ୍ପାଞ୍ଜଳି ପାତ୍ର ଙ୍କୁ କୋରାପୁଟ ଟାଉନର ପି.ଏଚ୍.ଡି କଲୋନୀରୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ତଥା ମୁଖ୍ୟ ଅଭିଯୁକ୍ତର ଭାଇ କାମାକ୍ଷା ସିଂ ପାତ୍ରଙ୍କୁ ବାଲିଗୁଡ଼ା ଥାନା ମିଡିଆକିଆ ଅଂଚଳରୁ ପୁଲିସ ଗିରଫ କରିଥିଲା । ଅନ୍ୟତମ ଅଭିଯୁକ୍ତ ଉମାଦେବୀ ପାତ୍ର ତୁମୁଡିବନ୍ଧ ଥାନା ବେନାରବାହାଲ ଅଂଚଳର ପରମାନ୍ଦ ବେହେରଦଳେଇଙ୍କ ଘରେ ଲୁଚିଥିବା ଖବରପାଇ ପୁଲିସ ସେଠାରେ ପହଁଚିଥିଲା । କିନ୍ତୁ ପରମାନନ୍ଦ ବେହେରଦଳେଇ ପୁଲିସକୁ ତଦନ୍ତରେ ସହଯୋଗ ନକରିବା ସହିତ ଘର ଭିତରୁ କବାଟ ବନ୍ଦ କରି ପୁଲିସକୁ ଗାଳିଗୁଲଜ କରିବା ସହ ପୁଲିସକୁ ଧମକ ଦେଇଥିବା ପୁଲିସ ସୁତ୍ରରୁ ଜଣାପଡିଛି । ସେପଟେ ବହୁତ ସମୟଧରି ସେଠାରେ ଅପେକ୍ଷା କରିବା ପରେ ପରିସ୍ଥିତିକୁ ଦ୍ରୃଷ୍ଟିରେ ରଖି ପୁଲିସ ଘଟଣା ସ୍ଥଳରୁ ଫେରିଆସିଥିବା ଜଣାପଡିଛି ଏବଂ ବର୍ତମାନ ସୁଦ୍ଧା ଅନ୍ୟତମ ଅଭିଯୁକ୍ତ ଉମାଦେବୀ ପାତ୍ର ଗିରଫ ହୋଇ ପାରିନଥିବା ଜଣାପଡିଛି । ଗୋଟିଏ ପଟେ ପୁଲିସ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ପରମାନନ୍ଦ ବେହେରଦଳେଇ ଏବଂ ତାଙ୍କର ଜଣେ ସର୍ମ୍ପକୀୟ ମହିଳା ମିଥ୍ୟା ଅଭିଯୋଗ ନେଇ କନ୍ଧମାଳ ଏସ.ପି ଙ୍କ ନିକଟରେ ପୁଲିସ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି । ସେପଟେ ଦାରିଙ୍ଗବାଡ଼ି ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ସହିତ ପୀଡିତାଙ୍କୁ ନ୍ୟାୟ ମିଳୁ ବୋଲି ପୀଡିତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।