ଦଶପଲ୍ଲା,୮/୪ – ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା ଅଂଚଳରେ ଜଣେ ଯୁବତୀଙ୍କର ଅଶ୍ଲୀଳ ଫଟୋ ଓ ଭିଡିଓ ଫେସ୍ବୁକ୍ ଓ ହ୍ୱାଟ୍ସଆପରେ ଭାଇରାଲ୍ ହୋଇଛି । ଏ ସଂପର୍କରେ ଯୁବତୀ ଜଣକ ମାର୍ଚ୍ଚ ମାସ ୧୮ ତାରିଖରୁ ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏ ନେଇ ମାମଲା ରୁଜୁ ନକରି ହାତବାନ୍ଧି ବସିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର ଜଣେ ଯୁବକଙ୍କ ସହ ବାଣିଗୋଛା ଅଂଚଳର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରେମ ସମ୍ପର୍କ ଧିରେ ଧିରେ ଦୈହିକ ସମ୍ପର୍କ ଆଡକୁ ଆଗେଇବା ବେଳେ ଯୁବକଙ୍କ ଚାଲାକି ଜାଣିପାରି, ଯୁବତୀ ଜଣକ ଯୁବକଙ୍କ ଠାରୁ ଦୂରେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ଯୁବକଙ୍କ ପରିବାର ପକ୍ଷରୁ ଯୁବତୀଙ୍କ ଘରକୁ ବିବାହ ପ୍ରସ୍ତାବ ଆସିଥିଲେ ମଧ୍ୟ, ଯୁବକଙ୍କ ଚରିତ୍ର ଓ ବ୍ୟବହାରକୁ ନେଇ ଯୁବତୀ ଜଣକ ଉକ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ । ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଯୁବକ, ସଂପୃକ୍ତ ଯୁବତୀଙ୍କର ସମ୍ପର୍କୀୟ ଭାଇଙ୍କ ନାମରେ ଫେସ୍ବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି, ଯୁବତୀଙ୍କର କେତେକ ଅନ୍ତରଂଗ ଫଟୋ ଓ ଭିଡିଓ ଅପ୍ଲୋଡ୍ କରି ସେହି ଭିଡିଓକୁ ଭାଇରାଲ୍ କରିଥିଲେ । ସଂପୃକ୍ତ ଯୁବତୀ ଏସବୁ ଦେଖିଲା ପରେ, ମାର୍ଚ୍ଚ ମାସ ୧୮ ତାରିଖରେ ବାଣିଗୋଛା ଥାନାରେ ଏ ସଂପର୍କରେ ଯୁବକଙ୍କ ନାମରେ ଅଭିଯୋଗ କରିଥିଲେ ମଧ୍ୟ ଜଣେ ଗ୍ରାମରକ୍ଷୀ ଏହି ଘଟଣାକୁ ପ୍ରଭାବିତ କରି ଚାପି ରଖିଥିବା ଶୁଣିବାକୁ ମିଳୁଛି । ଏ ଘଟଣା ସଂପର୍କରେ ବାଣିଗୋଛା ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇଙ୍କୁ ପଚାରିବାରୁ , ସେ କହିଛନ୍ତି ଯେ, ଅଭିଯୋଗ ଆସିଛି, ମୁଁ ଅନ୍ୟ ମାମଲାରେ ବ୍ୟସ୍ତଥିବାରୁ ଉକ୍ତ ମାମଲା ପ୍ରତି ଦୃଷ୍ଟିଦେଇ ପାରିନାହିଁ । ଖୁବ୍ ଶୀଘ୍ର ଏ ମାମଲା ତଦନ୍ତ କରାଯିବ । ଏବେ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ,ବାଣିଗୋଛା ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ଅଭିଯୁକ୍ତ ଯୁବକ ସଂଜିବ ବେହେରାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି ।