ଦାରିଙ୍ଗବାଡ଼ି,୧୩/୪- ସାଧାରଣ ଲୋକେ ପୋଲିସକୁ ଭୟ କରୁଥିବା ବେଳେ ଏହି ଖାକି ପୋଷାକ ତଳେ ମାନବିକତା ମଧ୍ୟ ଲୁଚି ରହିଛି ଏହା ପ୍ରମାଣ କରିଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ପୋଲିସ୍ । ବଡ଼ ଭାଇର ଶବ ଶିତ୍କାର କରିବାକୁ ସାନଭାଇ ଅସମର୍ଥ ଥିବାବେଳେ ବୃଦ୍ଧଙ୍କ ଶବ ସତ୍କାର କରି ମାନବିକତାର ପରିଚୟ ଦେଇଛି ଦାରିଙ୍ଗବାଡ଼ି ପୋଲିସ୍ । ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ଥାନା ଅଧୀନ ପେନାପୁସି ସ୍କୁଲ ନିକଟରୁ ରବିବାର ଦିନ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା । ବୃଦ୍ଧ ଜଣକ ରାଇକିଆ ଥାନା ଦମାଗୁଡ଼ା ଗ୍ରାମର ଏଲିଆସ ନାୟକ ବୋଲି ପରିଚୟ ମିଳିଥିଲା । ସେ ବହୁତ ବର୍ଷ ହେଲା ବିଭିନ୍ନ ସ୍ଥାନରେ ଭିକ୍ଷାବୃତି କରି ଚଳିଆସୁଥିଲେ । ହେଲେ କିଛିଦିନ ହେବ ସେ ପେନାପୁସି ଅଞ୍ଚଳରେ ରହି ଭିକ୍ଷା ବୃତ୍ତି କରୁଥିଲେ । ତେବେ କୌଣସି କାରଣବଶତଃ ସେହି ସ୍କୁଲ ପରିସରରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍କୁଲରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ସରପଞ୍ଚ ଦାରିଙ୍ଗବାଡ଼ି ପୁଲିସକୁ ସୂଚନା ଦେଇଥିଲେ । ଦାରିଙ୍ଗବାଡ଼ି ଥାନାଧିକାରୀ କୌଶିକ ମାଝୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହାସହ ତାଙ୍କ ପରିବାର ଲୋକଙ୍କୁ ସୂଚନା ମଧ୍ୟ ଦେଇଥିଲେ ହେଲେ ପରିବାରରେ କେହିନଥିବା ବେଳେ ସାନ ଭାଇ ରାଧାକାନ୍ତ ଅତି ଗରିବ ହୋଇଥିବା ଯୋଗୁଁ ଶବ ସତ୍କାର କରିବାକୁ ଅସମର୍ଥ ଥିଲେ ।
ଏପରିକି ଗାଁରୁ ଦାରିଙ୍ଗବାଡ଼ି ଆସିବାକୁ ଅସମର୍ଥ ଥିଲେ । ଶେଷରେ ଦାରିଙ୍ଗବାଡ଼ି ପୁଲିସ ସହଯୋଗର ହାତ ବଢ଼ାଇ ରାଧାକାନ୍ତଙ୍କୁ ଗାଡ଼ି ପଠାଇ ଆଣିବାସହ ରାଧାକାନ୍ତଙ୍କ ଉପସ୍ଥିତରେ ଦାରିଙ୍ଗବାଡ଼ି କ୍ୟାଥଲିକ ଚର୍ଚ୍ଚର୍ ନିକଟ ଶ୍ମଶାନରେ ବୃଦ୍ଧଙ୍କ ଶବ ସତ୍କାର କାର୍ଯ୍ୟ କରିଥିଲେ । ଦାରିଙ୍ଗବାଡ଼ି ଥାନା ଅଧକାରୀ କୌଶିକ ମାଝୀ,ଏସ୍ଆଇ ସୌମ୍ୟକାନ୍ତ ପଣ୍ଡା ଉପସ୍ଥିତ ରହି ବୃଦ୍ଧଙ୍କ ଶବ ସକ୍ରାର କରାଇଥିଲେ । ପୁଲିସର ଏଭଳି ମହତ କାର୍ଯ୍ୟକୁ ନେଇ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।