ରାଞ୍ଚି : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଝାରଖଣ୍ଡ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ, ମହାରାଷ୍ଟ୍ର ଓ ରାଜସ୍ଥାନ ପରେ ଝାରଖଣ୍ଡ ସରକାର ପୂରା ରାଜ୍ୟକୁ ଲକଡାଉନ କରିବାକୁ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ ଆସନ୍ତା ୨୨ ତାରିଖରୁ ୨୯ ତାରିଖ ଯାଏ ପୂରା ରାଜ୍ୟ ଲକଡାଉନ ହେବ । ଏହି ଦିନିଆ ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଛାଡି ଆଉ ସବୁ କିଛି ବନ୍ଦ ରହିବ । ଲକଡାଉନ ସମୟରେ ଧର୍ମପୀଠ ଗୁଡିକ ଖୋଲା ରହିବେ । ହେଲେ କୌଣସି ଧର୍ମାନୁଷ୍ଠାନକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । କେବଳ ନୀତିକାନ୍ତି ପାଇଁ ଧର୍ମପୀଠ ଖୋଲା ରହିବ । ସେହପରି ମାଇନିଂ, କୃଷି ଓ ଶିଳ୍ପସଂସ୍ଥାଗୁଡିକ ଲକଡାଉନ ସମୟରେ କାର୍ଯ୍ୟକ୍ଷମ ରହିବ । ଲୋକମାନେ ସେମାନଙ୍କ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ । ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନ ବନ୍ଦରକୁ ଯାଉଥିବା ଲୋକମାନେ ବୈଧ ଟିକେଟ୍ ଦେଖାଇଲେ ଲକଡାଉନ କଟକଣାରୁ ଛାଡ ପାଇବେ ବୋଲି ଝାରଖଣ୍ଡ ସରକାର କହିଛନ୍ତି । ଦେଶର ଅନ୍ୟ ପ୍ରାନ୍ତ ଗୁଡିକ ଭଳି ଝାରଖଣ୍ଡରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି । ଏପ୍ରିଲ ୧୯ରେ ଝାରଖଣ୍ଡରେ ୩,୯୯୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ସେହିପରି ୫୦ ଜଣଙ୍କ ଜୀବନ ଯାଇଥିଲା ।