କେନ୍ଦୁପତ୍ର ଫଡି ପ୍ରତିଷ୍ଠା ହେଲାନାହିଁ, ଚିନ୍ତାରେ ୩ ଗାଆଁର ପତ୍ର ତୋଳାଳୀ

0 737

ବୌଦ୍ଧ,୨୫/୪- ବୌଦ୍ଧ କେନ୍ଦୁପତ୍ର ବନଖଣ୍ଡ ବାଉଁଶୁଣୀ ରେଞ୍ଜ ଅନ୍ତର୍ଗତ ଆମ୍ବଝରୀ ଗ୍ରାମ ପଞ୍ଚାୟତ କୁରୁକୁଚ ଗ୍ରାମ ଠାରେ ଗୋଟିଏ କେନ୍ଦୁପତ୍ର ଫଡି ପ୍ରତିଷ୍ଠା ପାଇଁ ରାମ୍ଭିକଟା, କରଡାପଡା ଓ କୁରୁକୁଚ ଗ୍ରାମର ପତ୍ରତୋଳାଳୀ ମାନେ ବହୁଦିନରୁ ଦାବୀ କରି ଆସୁଛନ୍ତି । ଏ ସଂପର୍କରେ ସ୍ଥାନୀୟ ବିଧାୟକ, କେନ୍ଦୁପତ୍ର ଡି.ଏଫ.ଓ. ଓ ବାଉଁଶୁଣୀ ରେଞ୍ଜ ଅଫିସରଙ୍କୁ ଲିଖିତ ଆବେଦନ କରିଥିଲେ । ଚଳିତବର୍ଷ ଗୋଛାକଟା କାମ ଆରମ୍ଭ ହୋଇ ଯାଇଥିବା ହେତୁ ନୂତନ ଫଡି ପ୍ରତିଷ୍ଠା ସମ୍ଭବ ନୁହେଁ ଓ ଆସନ୍ତାବର୍ଷ ପଦକ୍ଷେପ ନେବାକୁ କେନ୍ଦୁପତ୍ର ଡି.ଏଫ.ଓ. ପ୍ରତିଶୃତି ଦେଇଥିଲେ । ଅପର ପକ୍ଷରେ ଏହି ତିନୋଟି ଗାଆଁର ପତ୍ରତୋଳାଳୀ ମାନେ ଫଡି ନଥିବାରୁ ରୋଜଗାର ହରାଉଥିବା ଓ ତୋଳାଳୀ ମାନଙ୍କ ପାଇଁ ଥିବା ସରକାରୀ ସହାୟତା ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ସେମାନେ ବହୁବର୍ଷ ତଳେ ପାବଲି ପଡା, ତାପରେ କତମ୍‌ ସିଂ ଓ ପରେ ରାମେଶ୍ୱର ଫଡିରେ ପତ୍ର ଦେଉଥିଲେ । କତମ୍‌ ସିଂ ଗ୍ରାମର ତୋଳାଳୀ ମାନଙ୍କ ସହ ତାଙ୍କର ଗଣ୍ଡଗୋଳ ହେବାରୁ ସେଠାକୁ ଆଉଗଲେ ନାହିଁ । ସେହିପରି ପାବଲିପଡା ୬ କିଲୋମିଟର ଓ ରାମେଶ୍ୱର ୪ କିଲୋମିଟର ଦୂରରେ ଥିବା ହେତୁ କୁରୁକୁଚ ଗ୍ରାମ ଠାରେ ଏକ ନୂତନ ଫଡି ଖୋଲା ଯିବାକୁ ଦାବି କରିଥିଲେ । ଚଳିତବର୍ଷ କେନ୍ଦୁପତ୍ର ବିଭାଗ ଉକ୍ତ ତିନି ଗ୍ରାମର ଗୋଛାକଟା କରିନଥିବା ସତ୍ତେ୍ୱ ଗ୍ରାମବାସୀ ନିଜେ ଶ୍ରମଦାନ କରି ଗୋଛାକଟା କାମ କରିଛନ୍ତି ଓ ନିଜ ସମ୍ବଳରୁ ପତ୍ର ଫଡି ଗୋଟିଏ ମଧ୍ୟ ନିର୍ମାଣ କରିଛନ୍ତି । ମାତ୍ର ପରିତାପର ବିଷୟ କେନ୍ଦୁପତ୍ର ବିଭାଗ ସେଠାରେ ପତ୍ର କିଣିବାକୁ ମନା କରୁଛନ୍ତି । କେନ୍ଦୁପତ୍ର ବିଭାଗ କୁରୁକୁଚ ଠାରେ ଚଳିତବର୍ଷ ଫଡି ନ ହେଲେ ନାହିଁ ଏକ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

1 × 2 =