ଦାରିଙ୍ଗବାଡି, ୨୧/୫ – ଦାରିଙ୍ଗବାଡିର ଏକ କ୍ୱାକ କ୍ଲିନିକକୁ ସିଲ୍କରିଛି ଦାରିଙ୍ଗବାଡି ପ୍ରଶାସନ । ଦାରିଙ୍ଗବାଡି ବ୍ଲକ ରୋଡ ସାଇଟରେ ରହିଥିବା ଏକ କ୍ୱାକ କ୍ଲିନିକ ଉପରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ କୌଶିକ ମାଝୀ, ମେଡିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ପ୍ରମୁଖ ମିଳିତ ଚଢ଼ାଉ କରି କ୍ଲିନିକକୁ ସିଲ କରିଥିବା ଦେଖିବାକୁ ମିଳିଛି । ଉକ୍ତ କ୍ଲିନିକରେ ଲୋକଙ୍କୁ ଜର, ଥଣ୍ଡା କିମ୍ବା କାଶ ହେଲେ କୋଭିଡ଼ ଟେଷ୍ଟ କରାଇବାକୁ କହିବା ପରିବର୍ତ୍ତେ ନିଜ କ୍ଲିନିକରେ ମନଇଛା ରୋଗୀଙ୍କୁ ସାଲାଇନ, ମେଡ଼ିସିନ ଦେଇ ଲୋକଙ୍କୁ ଚିକିତ୍ସା କରୁଥିଲେ । ଏପରିକି ଉକ୍ତ କ୍ଲିନିକରେ ଚିକିତ୍ସା କରୁଥିବା କ୍ୱାକ କୌଣସି ଡାକ୍ତର ପାଠ କିମ୍ବା ଫାର୍ମାସି କରିନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଉକ୍ତ କ୍ୱାକଜଣକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ପ୍ରସିତ ସମାଜ ପାତ୍ର । ଏହି କ୍ଲିନିକକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରାଯାଇଥିବାବେଳେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ଦାରିଙ୍ଗବାଡି ରାଜସ୍ୱ ନିରୀକ୍ଷକ କେଦାର ସାହୁ, ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରି ପ୍ରମୁଖ ସାମିଲ ଥିଲେ ।