ବୌଦ୍ଧ/ବାଉଁଶୁଣୀ,୨୩/୫ – ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ୍ ସତ୍ତେ୍ୱ ଆଜି କିଛି ପରିବା ଚାଷୀ ଓ ବେପାରୀ ବାଉଁଶୁଣୀ ଦୈନିକ ପରିବା ବଜାରକୁ ଆସିଥିଲେ । ସେହିପରି ଖାଉଟିମାନେ କ୍ରୟ କରିବା ପାଇଁ ଆସି ଗହଳି କରିଥିଲେ । ସ୍ଥାନୀୟ ଅଂଚଳରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବଢି ବାଉଁଶୁଣୀ ସଂଲଗ୍ନ କିଛି ଗ୍ରାମ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା ମଧ୍ୟ ହୋଇଛି । ଏଭଳି ପରିସ୍ଥିତି ସହ ଆଜି ସଟ୍ଡାଉନ୍ ଥିବାରୁ ବାଉଁଶୁଣୀ ଥାନା ସବ୍ଇନ୍ସପେକ୍ଟର ଗଣନାଥ ଥନାପତି ସଦଳବଳେ ପହଞ୍ଚି କ୍ରେତା ଓ ବିକ୍ରେତା ମାନଙ୍କୁ ସେଠାରୁ ଚାଲିଯିବାକୁ କହିବା ସହ ବଜାର ବନ୍ଦ କରାଇଥିଲେ । ପ୍ରତିଦିନ ବାଉଁଶୁଣୀ ବଜାର ବସି ଜନଗହଳି ହେଉଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ ଖବର୍ ପ୍ରକାଶ ପାଇଥିଲା । ଯାହାବି ହେଉ ଡେରିରେ ହେଲେ ମଧ୍ୟ ବାଉଁଶୁଣୀ ପୋଲିସ୍ ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ଆକ୍ସନ ମୋଡକୁ ଆସିଥିବାରୁ ଜନସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଆଜି ବାଉଁଶୁଣୀ ଛକରେ ମଧ୍ୟ ରାସ୍ତାରେ ଯାଉଥିବା ଯାନବାହାନ ଓ ଜନସାଧାରଣଙ୍କୁ ଅଟକାଇ ଯାଞ୍ଚ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି ।