ବୌଦ୍ଧ,୨୫/୫ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ ଗତକାଲି ଚାରି ଦିନିଆ ସଟ୍ଡାଉନ୍ ଘୋଷଣା କରିଥିଲେ । ଗତ ୨୨ ତାରିଖରେ ଗୋଟିଏ ଦିନରେ ଗ୍ରାମରୁ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ୨୩ ତାରିଖ ମଧ୍ୟ ରାତ୍ରୀ ଠାରୁ ୨୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସରକାର ଦେଇଥିବା ଜିଲ୍ଲାପାଳ କ୍ଷମତା ବଳରେ ସଟ୍ଡାଉନ୍ ଘୋଷଣା କରିଥିଲେ ।
ଗ୍ରାମରେ ଥିବା ଔଷଧ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ଡାକଘର, ସେବା ସମବାୟ ସମିତି ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । କେବଳ ରାସନ୍ ଦୋକାନ ସକାଳ ୬ ଘଣ୍ଟା ସମୟରୁ ୧୦ ଘଣ୍ଟା ସମୟ ଖୋଲିବାକୁ ଅନୁମତି ଦିଆଯାଇଥିଲା । ହେଲେ ଗୋଟିଏ ଦିନ ପରେ ଆଜି ଗ୍ରାମର ବିଭିନ୍ନ ପ୍ରବେଶ ପଥରେ କରାଯାଇଥିବା ଅବରୋଧକୁ ଆଜି ସକାଳୁ ଆଉ ଦେଖିବାକୁ ମିଳି ନଥିଲା । ଲୋକେ ସେସବୁ ଅବରୋଧ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମକୁ ବାହାର ଲୋକଙ୍କ ପ୍ରବେଶ ଓ କଣ୍ଟେନମେଣ୍ଟ ଜୋନ ମଧ୍ୟରୁ ଲୋକେ ମଧ୍ୟ ବାହାରକୁ ଯିବା ଆସିବା କରିବା ସ୍ୱାଭାବିକ ରହିଥିଲା । ସରପଞ୍ଚଙ୍କ ସଟ୍ଡାଉନ୍ ଘୋଷଣାକୁ ଲୋକେ ଫୁଉଉ ରେ ଉଡାଇ ଦେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି ।