ଦଶପଲ୍ଲା,୨୭/୫:- ନୟାଗଡ ଜିଲ୍ଲା ଚାନ୍ଦପୁର କୋଭିଡ୍ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣେ କୋଭିଡ ଆକ୍ରାନ୍ତଙ୍କର ଚିିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତେବେ ଗତ କିିଛି ଦିନ ହେବ ଲଗାତାର ଭାବେ ମେଡିକାଲରେ ଅବ୍ୟବସ୍ଥା ନେଇ ଅଭିଯୋଗ ଆସୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି । ଫଳରେ ସାଧାରଣ ଲୋକେ କୋଭିଡ଼ ଆଳରେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି । ତେବେ ଚାନ୍ଦପୁର ମେଡିକାଲ ଭିତରେ କେତେବେଳେ କଣ ଘଟୁଛି ତାହା ସମସ୍ତଙ୍କୁ ସନ୍ଦେହ ଘେରରେ ରଖିଛି । ସୂଚନା ଅନୁସାରେ ଖୋର୍ଦ୍ଧାଜିଲ୍ଲା କୁହୁଡ଼ିର ଯଶୋବନ୍ତ ଜେନା ଗତ ୩ ଦିନ ଧରି ଚାନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ । ମେଡିକାଲରେ ତାଙ୍କୁ ମାରଧର କରାଯାଉଥିବା ଘରକୁ ଫୋନ କରି ଜଣାଇଥିଲେ ଯଶୋବନ୍ତ । ପରେ ଯଶୋବନ୍ତଙ୍କ ଠାରୁ ମେଡିକାଲ କର୍ମଚାରୀ ମୋବାଇଲ ଛଡାଇନେଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେବେ ଠାରୁ ପୁଅ ସହ ଯୋଗାଯୋଗ ହୋଇପାରିନଥିବା ପରିବାରଙ୍କ ଠାରୁ ପ୍ରକାଶ । ଆଜି ପରିବାର ଲୋକେ ପୁଅର ଚିକିତ୍ସା କଥା ପଚାରି ବୁଝିବାରୁ ସେ ସୁସ୍ଥଥିବା ମେଡିକାଲ କର୍ତ୍ତୃପକ୍ଷ ଜଣାଇଥିଲେ । ହେଲେ ତାର ମାତ୍ର ୩ ଘଣ୍ଟା ପରେ ପୁଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ସୁସ୍ଥ ଥିବା ପୁଅ ୩ ଘଣ୍ଟାରେ କିଭଳି ହଠାତ ମୃତ୍ୟୁ ହେଲା ତାକୁ ନେଇ ପରିବାର ଲୋକେ ସନ୍ଦେହ କରିବା ସହ ବିଭିନ୍ନ ସଙ୍ଗୀନ ଅଭିଯୋଗ କରି ପରିବାର ପକ୍ଷରୁ ଏନେଇ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।