ଲର୍ଡ୍ସ : ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ଡେଓ୍ଵନ କନଓ୍ଵେ ବୁଧବାର ଇତିହାସ ରଚିଛନ୍ତି। ନିଜର ପଦାର୍ପଣ ମ୍ୟାଚ୍ରେ ସେ ଦମଦାର ଶତକ ଅର୍ଜନ କରିଛନ୍ତି। ଲର୍ଡ୍ସରେ ଏମିତି କମାଲ କରିବାରେ କନଓ୍ଵେ ଦୁନିଆର ଷଷ୍ଠ ବ୍ୟାଟସମ୍ୟାନ ହୋଇଛନ୍ତି। ଏଥିସହ ପଦାର୍ପଣ ମ୍ୟାଚ୍ରେ ଶତକ ଅର୍ଜନ କରିବାରେ କନଓ୍ଵେ ନ୍ୟୁଜିଲାଣ୍ଡର ୧୨ତମ ଖେଳାଳି। କନଓ୍ଵେ ୧୬୩ ବଲ୍ରେ ୧୧ଟି ଚୌକା ଜରିଆରେ ଶତକ ଅର୍ଜନ କରିଛନ୍ତି। ଏଥିସହ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, କନଓ୍ଵେ ଲର୍ଡ୍ସର ଐତିହାସିକ ପଡିଆରେ ନିଜର ପଦାର୍ପଣ ମ୍ୟାଚ୍ରେ ଶତକ ହାସଲ କରିବାରେ ତୃତୀୟ ବିଦେଶୀ ବ୍ୟାଟସମ୍ୟାନର ଉପଲବ୍ଧି ହାସଲ କରିଛନ୍ତି। ଏହା ପୂର୍ବରୁ ହ୍ୟାରି ଗ୍ରାହମ(୧୮୯୩) ଓ ସୌରଭ ଗାଙ୍ଗୁଲି(୧୯୯୬) ଏହି ସଫଳତା ହାସଲ କରିଥିଲେ। ଗାଙ୍ଗୁଲି ଲର୍ଡ୍ସରେ ହିଁ ଟେଷ୍ଟରେ ପଦାର୍ପଣ କରିଥିଲେ। ନିଜ ପଦାର୍ପଣ ମ୍ୟାଚ୍ରେ ସେ ୧୩୧ ରନର ଦମଦାର ଶତକୀୟ ଇନିଂସ ଖେଳିଥିଲେ। ହେଲେ ଲର୍ଡ୍ସରେ ପଦାର୍ପଣ ମ୍ୟାଚ୍ରେ ୧୩୬ ରନ କରି ଅପରାଜିତ ରହି ଗାଙ୍ଗୁଲିଙ୍କ ୨୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।