ମୁଖ୍ୟମନ୍ତ୍ରୀଙ୍କ ‘ୟାସ’ ପ୍ୟାକେଜ ଘୋଷଣା

0 63

ଭୁବନେଶ୍ୱର : ବାତ୍ୟା ୟସ ପ୍ରଭାବିତ ଅଞ୍ଚଳର କୃଷକଙ୍କ ପାଇଁ ଆଜି ରାଜ୍ୟ ସରକାର ବ୍ୟାପକ ସହାୟତା ଘୋଷଣା କରିଛନ୍ତି । ଏ ନେଇ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ୟାକେଜରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସବୁ କ୍ଷେତ୍ରରେ କ୍ଷତିଭରଣା ସହାୟତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି ସହାୟତା ତୁରନ୍ତ ପ୍ରଭାବିତ ଚାଷୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୃଷିକ୍ଷେତ୍ର ପାଇଁ ପ୍ରଦାନ କରାଯାଇଥିବା ସହାୟତା ସଂପର୍କରେ କୁହାଯାଇଛି ଯେ, ୩୩ପ୍ରତିଶତ ବା ଅଧିକ କ୍ଷତି ସହିଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ଟଙ୍କା ଇନପୁଟ ସବସିଡ ପ୍ରଦାନ କରାଯିବ । ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୩୫୦୦ଟଙ୍କା ଓ ସବିଦିନିଆ ଫସଲ ପାଇଁ ହେକ୍ଟର ପିଛା ୧୮୦୦୦ଟଙ୍କା ଇନପୁଟ ସବସିଡ ଦିଆଯିବ । ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲଶ୍ରେଣୀ ଅନ୍ତଭୂକ୍ତ ହେବ । କେବଳ ପ୍ରକୃତ ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ଜିଲ୍ଲାର ସବୁଦିନିଆ ଫସଲ ପାଇଁ ଚାଷୀମାନଙ୍କୁ ସର୍ବନିମ୍ନ ୨ହଜାର ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧ହଜାର ଟଙ୍କା ଇନପୁଟ ସବସିଡ ମିଳିବ । ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ୱ୍ୟଣ୍ଟାଲ ଉନ୍ନତମାନର ପ୍ରାମାଣିକ ଧାନ ବିହନ ଯୋଗାଇ ଦିଆଯିବ । ଏହି ରିହାତି ସିଧାସଳଖ ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ । ଖରିଫ ଋତୁରେ ଅଧିକ ଅମଳ ପାଇଁ ୧ଲକ୍ଷ ଏକର ଜମି ପାଇଁ ୧ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୂକ୍ତ କରାଯିବ । ଖରିଫ ଋତୁରେ ଧାନ, ବୋଟ ଓ ଡାଲି ଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଭାରିବୁଣା ଓ ଭାରିରୁଆ ଆଦି ଉନ୍ନତ ଚାଷ ପ୍ରଣାଳି ଅବଲମ୍ବନ କରୁଥିବା ଚାଷୀମାନଙ୍କୁ ୩୬ଏକର ଜମି ପାଇଁ ହେକ୍ଟର ପିଛା ୧୫ଶହ ଟଙ୍କା ପ୍ରୋତ୍ସାହନ ଦିଆଯିବ । ୬୦ହଜାର ହେକ୍ଟର ଜମିରେ ରୋଗପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନପୁଟ ସବସିଡ ଚାଷୀମାନଙ୍କ ଆକାଉଣ୍ଟକୁ ଦିଆଯିବ । ଉନ୍ନତମାନର କୃଷିଯନ୍ତ୍ରପାତି କିଣିବା ପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀମାନଙ୍କୁ ୨୦କୋଟି ଟଙ୍କାର ରିହାତି ସିଧାସଳଖ ବ୍ୟାଙ୍କ ଖାତାକୁ ଦିଆଯିବ । ପ୍ରଭାବିତ ଅଞ୍ଚଳରେ ଚାଷୀମାନଙ୍କୁ ରିହାତି ଦରରେ ୨ହଜାର ପମ୍ପସେଟ୍‌ ଓ ୩ହଜାର ସ୍ପେୟର ଯୋଗାଇ ଦିଆଯିବ । ପମ୍ପସେଟ ପାଇଁ ୫୦ପ୍ରତିଶତ ରିହାତିରେ ସର୍ବାଧିକ ୧୫ହଜାର ଟଙ୍କା ଓ ପାଫ୍ୱାର ସ୍ପେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ଟଙ୍କା ଓ ହାତରେ ଚାଲୁଥିବା ସ୍ପେୟର ପାଇଁ ସର୍ବାଧିକ ୭୫୦ଟଙ୍କା ରିହାତି ଦିଆଯିବ । ଭଦ୍ରକ ଓ ବାଲେଶ୍ୱରରେ କେତେକ ସ୍ଥାନରେ ଜମିରେ ଲୁଣାପାଣି ମାଡିଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଏପରି ଜମିର ପୋଷକ ତତ୍ତ୍ୱର ପରିଚାଳନା ଓ ମାଟିର ମାନରେ ଉନ୍ନତି ପାଇଁ ହେକ୍ଟର ପିଛା ୭୫୦ଟଙ୍କା ସର୍ବାଧିକ ୧୦ହଜାର ହେକ୍ଟର ଜମିପାଇଁ ସହାୟତା ଦିଆଯିବ । ପାନବରଜ ଚାଷ କରୁଥିବା ୧୨୫ଜଣ ଚାଷୀଙ୍କୁ ଜଣ ପିଛା ୧୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ଡିବିଟି ଜରିଆ ଦିଆଯିବ । ୧୦ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତମାନର ଚାରା ପାଇଁ ୧୧୫ଟଙ୍କାରେ ଯୋଗାଇ ଦିଆଯିବ । ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟକି ୪୦ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କର ଛତୁଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନଙ୍କୁ କିଟ ପିଛା ୧୧୦ଟଙ୍କାର ୧୦ହଜାର ପରିବା ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବୀମାଭୂକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀମାନଙ୍କର ଦାବି ଯେପରି ସମାଧାନ ହୋଇପାରିବ ସେଥିପାଇଁ ଫସଲ କଟା ରିପୋର୍ଟ ତ୍ୱରାନ୍ୱିତ ଭାବରେ ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳର ୩୩ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ୱଳ୍ପ ମିଆଦି ଖରିଫ ଋଣକୁ ମଧ୍ୟ ରିହାତି ଋଣରେ ପରିଣତ କରାଯିବ । ପଶୁସମ୍ପଦ ବିକାଶ କ୍ଷେତ୍ର ପାଇଁ ଦୁଧିଆଳି ଗାଈ, ମଇଁଷି, ଛେଳି, ମେଣ୍ଢା, କୁକୁଡା ହରାଇ ଥିବା ଚାଷୀଙ୍କୁ ସହାୟତା ଦିଆଯିବ । ଦୁଧିଆଳୀ ଗାଈ ଓ ମଇଁଷି ପାଇଁ ୩୦ହଜାର, କ୍ଷୀର ଦେଉନଥିବା ପ୍ରାଣୀମାନଙ୍କ ପାଇଁ ୨୫ହଜାର ଟଙ୍କା ସର୍ବାଧିକ ୩ଟି ପାଇଁ ଦିଆଯିବ । ସେହିଭଳି ସର୍ବାଧିକ ୬ଟି ବାଛୁରୀ ପାଇଁ ପ୍ରତି ବାଛୁରୀ ପିଛା ୧୬ହଜାର ଟଙ୍କା ୩୦ଟି ଛେଳି, ମେଣ୍ଢା ପାଇଁ ୩ହଜାର ଟଙ୍କା ପ୍ରତି କୁକୁଡା ପିଛା ୫୦ଟଙ୍କା ଲେଖାଏଁ ସର୍ବାଧିକ ୫ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ବାତ୍ୟାରେ ଭାଙ୍ଗିଥିବା ଗୁହାଳର ପୁନଃନିର୍ମାଣ ପାଇଁ ୨୧ଶହ ଟଙ୍କା, ମତ୍ସ୍ୟଚାଷୀଙ୍କ ବାବଦରେ ଭାଙ୍ଗିଥିବା ଡଙ୍ଗାର ମରାମତି ପାଇଁ ୪ହଜାର ୧୦୦ଟଙ୍କା ଲେଖାଏଁ, ମାଛଧରା ଜାଲ ମରାମତି ପାଇଁ ୨୧୦୦ଟଙ୍କା ଲେଖାଏଁ ପୁରା ଭାଙ୍ଗିଥିବା ଡଙ୍ଗା ନିର୍ମାଣ ପାଇଁ ୯୬୦୦ ଟଙ୍କା ଲେଖାଏଁ, ପୁରା ନଷ୍ଟ ହୋଇଥିବା ମାଛଧରା ଜାଲ ପାଇଁ ୨୬ଶହ ଟଙ୍କା ଦିଆଯିବ । ପଟୁମାଟି ମାଡିଥିବା ମାଛ ଫାର୍ମ ପାଇଁ ପୁର୍ନରୁଦ୍ଧାର ସକାଶେ ହେକ୍ଟର ପିଛା ୧୨ହଜାର ୨ଶହ ଟଙ୍କା, କ୍ଷତିଗ୍ରସ୍ତ ମାଛବିହନ ଫାର୍ମ ପାଇଁ ୮ହଜାର ୨ଶହ ଟଙ୍କା ଇନପୁଟ ସବସିଡ ହେକ୍ଟର ପିଛା ଦିଆଯିବ । ସେହିଭଳି ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷତିଗ୍ରସ୍ତ କାରିଗରଙ୍କ ପାଇଁ ଉପକରଣ ବାବଦ ୪୧୦୦ଟଙ୍କା ଲେଖାଏଁ, ନଷ୍ଟ ହୋଇଥିବା କଞ୍ଚାମାଲ ପାଇଁ ପ୍ରତି କାରିଗର ପିଛା ୪୧୦୦ ଟଙ୍କା ଦିଆଯିବ । ସେହିଭଳି ଏରି, ମାଲବେରୀ, ଟସର ଚାଷୀଙ୍କ ପାଇଁ ଇନପୁଟ ସବସିଡ ଭାବେ ହେକ୍ଟର ପିଛା ୪୮୦୦ ଟଙ୍କା ଓ ମୁଗା ଚାଷୀଙ୍କ ପାଇଁ ହେକ୍ଟର ପିଛା ୬ହଜାର ଟଙ୍କା ସହାୟତା ଦିଆଯିବ । ଏସବୁ ବ୍ୟତୀତ ପ୍ରଭାବିତ ଅଞ୍ଚଳର କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟରେ ମହାତ୍ମାଗାନ୍ଧୀ ନିଶ୍ଚିତ ରୋଜଗାର ଗ୍ରାମୀଣ ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ସହିତ ଗ୍ରାମପଞ୍ଚାୟତ ରାସ୍ତା, ଖେଳପଡିଆ, କେନାଲ, ମାଟିବନ୍ଧ ଆଦିର ମରାମତି ଓ ରକ୍ଷଣା ବେକ୍ଷଣ ପାଇଁ ଗୁରୁତ୍ୱ ଦିଆଯିବ । ସର୍ବପରି ଯୋଗ୍ୟ ହିତାଧିକାରୀଙ୍କୁ ଏସ୍‌ଆର୍‌ଏଫ୍‌ ଓ ଏନ୍‌ଡିଆର୍‌ଏଫ୍‌ ନିୟମନୁଯାୟୀ, ଗୃହ ନିର୍ମାଣରେ ସହାୟତା ପ୍ରଦାନ କରାଯିବ ।

hiranchal ad1
Leave A Reply

Your email address will not be published.

one + thirteen =