ବୌଦ୍ଧ/ଜହ୍ନାପଙ୍କ,୧୩/୬- ପ୍ରାଣୀ ସମ୍ପଦର ବିକାଶପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏଥିପାଇଁ ପଞ୍ଚାୟତର ମୁଖ୍ୟସ୍ଥଳରେ ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲିଛନ୍ତି । ସେହି ପରିପ୍ରେକ୍ଷୀରେ ଜହ୍ନାପଙ୍କଠାରେ ୧୯୭୦ ମସିହାରେ ଏକ ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲାଯାଇଥିଲା । ଏହି କେନ୍ଦ୍ରଦ୍ୱାରା ଖୁଣ୍ଟବନ୍ଧ, ଲକ୍ଷ୍ମୀପ୍ରସାଦ, ପଦ୍ମନପୁର, ତେଲିବନ୍ଧ ପଞ୍ଚାୟତର ପଶୁପାଳକମାନେ ଉପକୃତ ହେଉଥିଲେ । ସବୁକିଛି ଠିକ ଠାକ ଚାଲିଥିଲା । ହେଲେ ଗତ ୪ ମାସରୁ ଉର୍ଦ୍ଧ୍ୱ ହେଲା ପ୍ରାଣୀଧନ ନିରୀକ୍ଷକ ଆସୁନଥିବାରୁ ପ୍ରାଣୀସେବା ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ହାତବାରିସୀ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ତାଙ୍କୁ ସହଯୋଗ କରୁଥିବାରୁ ସେ ମନୋମୁଖୀ କାର୍ଯ୍ୟ କରୁଛନ୍ତି । ଅପରପକ୍ଷରେ ସଂପୃକ୍ତ ପ୍ରାଣୀଧନ ନିରୀକ୍ଷକ ଜଣେ ଅନଭିଜ୍ଞ ବ୍ୟକ୍ତିକୁ ତାଙ୍କ ବଦଳରେ କାମ କରାଉଥିବାରୁ ସେ ମାଗଣାରେ ଉପଲବ୍ଧ ହେଉଥିବା ଔଷଧକୁ ୧୦୦ ରୁ ୨୦୦ ଟଙ୍କା ଲେଖାଏଁ ନେଉଥିବା ଅଭିଯୋଗ ହେଉଛି । ଏଭଳି ଅନଭିଜ୍ଞ ବ୍ୟକ୍ତିଦ୍ୱାରା ପଶୁ ଚିକିତ୍ସା କରାଯିବା ଘଟଣା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ କିରଟି ପ୍ରଧାନ, ପ୍ରତାପ ପ୍ରଧାନ, ଗଙ୍ଗରାମ ପ୍ରଧାନ, ଶୁକ୍ରୁ ପ୍ରଧାନ, ଲିଙ୍ଗରାଜ ସେଠି, ହୃଦାନନ୍ଦ ବେହେରା, ଜୀବର୍ଦ୍ଧନ ଭୋକ୍ତା, ମାଗୁଣୀ ମଲ୍ଲିକ, ଗୁପ୍ତେଶ୍ୱର ମିର୍ଦ୍ଧା ପ୍ରମୁଖ ଦାବି କରିଛନ୍ତି ।