ଗଣିଆ, ୧୩/୬- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡାପାଟଣା ପଞ୍ଚାୟତ ଅନ୍ତର୍ଗତ ବିଜୟନଗର ଗ୍ରାମରେ ଇଲେକ୍ଟ୍ରି ସଟସକ୍ରିଟରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଘର ଭସ୍ମୀଭୂତ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ପୂର୍ବାହ୍ନ ପ୍ରାୟ ୧୨ ଘଟିକା ସମୟରେ ବିଜୟନଗର ମୁକ୍ତା ସାହୁ ଘରକାମ କରୁଥିବାବେଳେ ଅଚାନକ ନିଆଁ ଲାଗିଯାଇଥିଲା । ସେ ଏହା ଦେଖି ସଂଜ୍ଞାହୀନ ହୋଇପଡିଥିବାବେଳେ ଚାହୁଁ ଚାହୁଁ ତାଙ୍କର ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ସମସ୍ତ ଆସବାବ ପତ୍ର ସହ ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡିପାଉଁଶ ହୋଇଯାଇଥିବାର ସୂଚନାମିଳିଛି । ପୋଡି ଯାଇଥିବା ଜିନିଷର ଆନୁମାନିକମୂଲ୍ୟ ୫୦ହଜାରରୁ ଅଧିକ ହେବ ବୋଲି ଆକଳନ କରାଯାଇଛି । ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କରିପାରିନଥିଲେ । ପରେ ଗଣିଆ ଦମକଳବିଭାଗର ଅଧିକାରୀ ସାନନ୍ଦ ଚନ୍ଦ୍ର ଜେନା ଓ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ଏହି ପରିବାରଟି ଅତ୍ୟନ୍ତ ଦରିଦ୍ର ଓ ଅସହାୟ ଦିନ ମଜୁରିଆ ଭାବେ କାଳ କାଟୁଥିବାରୁ ଅଗ୍ନିକାଣ୍ଡଟି ତାଙ୍କୁ ସଂପୂର୍ଣ୍ଣ ବେସାହାରା କରିଦେଇଛି । ମୁକ୍ତା ସାହୁ ବିଧବା ମହିଳା ହୋଇଥିବା ବେଳେ ପୁଅ ଓ ବୋହୁ ମୂଲ ଲାଗିବା ପାଇଁ ବାହାରେ ରହୁଥିବାବେଳେ ଏକ ମାତ୍ର ନାତିକୁ ଧରିଘରେ ବହୁଦୁଃଖ କଷ୍ଟରେ କାଳାତିପାତ କରୁଥିଲେ । ବିଧିର ବିଧାନ ନିମିଷକେ ଅଗ୍ନିର ତାଣ୍ଡବରେ ସବୁ ଜଳି ପୋଡି ପାଉଁଶ ହୋଇଗଲା । ତେବେ ଘଟଣାସ୍ଥଳରେ ଗଣିଆ ପଞ୍ଚାୟତ ସମିତିର ଉପାଧକ୍ଷଙ୍କ ପ୍ରତିନିଧି ଦଣ୍ଡଧର ଦାଶ ପହଁଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରି ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ପରିବାରଟିକୁ କିଛି ଆର୍ଥିକ ସହାୟତା ସହ ଲୁଗାପଟା, ଚାଉଳ ,ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବା ଜନସାଧାରଣରେ ଦାବି ହେଉଛି ।