ଜହ୍ନାପଙ୍କ : ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ, ଗରିବ ଓ କଚ୍ଚା ଘରକୁ ୨୦୨୨ ସୁଦ୍ଧା ପକ୍କାଘର କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୨୦୧୧ ମସିହାରେ ଏସ୍ଇସିସି ସର୍ଭେ ମଧ୍ୟ କରିସାରିଛନ୍ତି । ଯୋଗ୍ୟ ହିତାଧିକାରୀ ଯେପରି ବାଦ ନପଡେ ସେଥିପାଇଁ ବ୍ଳକସ୍ତରରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଅଧିକାରୀ ନିଯୁକ୍ତି କରିଛନ୍ତି । ତଥାପି ମଧ୍ୟ ଯୋଗ୍ୟ ହିତାଧିକାରୀ ଘର ନପାଇ ଅଯୋଗ୍ୟ ବ୍ୟକ୍ତି ଘର ହତେଇବା ଘଟଣା ବୌଦ୍ଧ ବ୍ଳକରେ ନୂଆ ନୁହେଁ । ଅନ୍ୟପଟେ ଘର ଖଣ୍ଡିଏ ନପାଇ ଅସହାୟ ପରିବାର କିପରି ପଲିଥିନ ତଳେ ଦିନ କାଟୁଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଇଏ କୌଣସି ଜିଲ୍ଲାର ଉପାନ୍ତ ଅଞ୍ଚଳର କାହାଣୀ ନୁହେଁ । ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ସମ୍ମୁଖରେ ରୁହନ୍ତି ଶଶିରେଖାଙ୍କ ପରିବାର । ସ୍ୱାମୀ କୃଷ୍ଣ ମହନନ୍ଦିଆ ୨୫ ବର୍ଷ ହେଲାଣି ସ୍ୱର୍ଗବାସୀ । ପୁଅ ହରିଶ୍ଚନ୍ଦ୍ର ମହନନ୍ଦିଆ ୨ ବର୍ଷ ହେଲା ଆରପାରିରେ । ବୋହୂ ଅଞ୍ଜନା, ନାତି ଅଶ୍ୱିନୀ, ନାତୁଣୀ ସୁଷମା, ସୀମା ଓ ରିମା ଏମିତି ୬ ପ୍ରାଣୀ କୁଟୁମ୍ବ । ଜମିବାଡ଼ି କିଛି ନାହିଁ । ପରିବାରର ଏକମାତ୍ର ରୋଜଗାର ବ୍ୟକ୍ତି ଗଲା ପରେ ଭାରି କଷ୍ଟରେ ଚଳନ୍ତି ଶଶୀଙ୍କ ପରିବାର । ପଞ୍ଚାୟତରୁ ପାଆନ୍ତି ୩୦ କିଲୋ ଚାଉଳ ଓ ଦୁଇ ଜଣଙ୍କ ୧୦୦୦ ଟଙ୍କା ବିଧବା ଭତ୍ତା । ଅଞ୍ଜନାଙ୍କ ବଢିଲା ତିନି ଝିଅ । ଘର ଅବସ୍ଥା ଦେଖି ବର ଘର ଜୁଟୁ ନାହିଁ । ବର ଘର ଜୁଟିଲେବି ସମ୍ବଳ ନଥିବାରୁ ବାହାଘର କରି ପାରୁନାହିଁ ବୋଲି ଛଳ ଛଳ ଆଖିରେ କହନ୍ତି ଅଞ୍ଜନା । ସରକାର ଯଦି କୌଣସି ଯୋଜନାରେ ସାମିଲ କରି ଆବାସ ଯୋଜନାରେ ଘର ଓ ଆର୍ଥିକ ସାହାଯ୍ୟ କରନ୍ତେ ତେବେ ତାଙ୍କ ପରିବାରରେ ହସ ଫୁଟିବ ।