ବୌଦ୍ଧ,୧୬/୬ – ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସବୁଠାରୁ ଅଧିକ ହରଭଙ୍ଗା ବ୍ଲକ୍ର ୧୨ ଗୋଟି ଗ୍ରାମ ପଞ୍ଚାୟତରୁ ୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଣ୍ଟାମାଳ ବ୍ଲକର ୫ ଗୋଟି ଗ୍ରାମ ପଞ୍ଚାୟତରୁ ୭ ଜଣ, ବୌଦ୍ଧ ବ୍ଲକ୍ ଅଂଚଳର ୫ ଗୋଟି ଗ୍ରାମ ପଞ୍ଚାୟତରୁ ୭ ଜଣ ଓ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ରାମେଶ୍ୱର ବିହାର ଅଂଚଳର ଜଣେ ମାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ପଜିଟିଭ ହରଭଙ୍ଗା ବ୍ଲକ୍ ବୀରନରସିଙ୍ଗପୁର୍ ଗ୍ରାମରୁ ୯ ଜଣ ଓ ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମାଝୀ ସାହି ଗ୍ରାମରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ୍ ପଜିଟିଭ ୧୧୭୦୧ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଗତକାଲି ସୁଦ୍ଧା ୧୦୨୬୮ ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ୧୩୧୦ ଜଣ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲାରେ ଆଜି ସୁଦ୍ଧା ସରକାରୀ ଭାବେ ୭୩ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଜଣାପଡିଛି ।