ରାୟଗଡ/୧୬/୬: ପାରିବାରିକ କଳହରେ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀକୁ ଶାବଳରେ ଆକ୍ରମଣ କରି ହତ୍ୟା କଲା ସ୍ୱାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ ଥାନା ଅଧିନସ୍ଥ ଗୁମ୍ମା ପଂଚାୟତର ଫୁଲୁଗୁଡା ଗ୍ରାମରେ । ମୃତ ମହିଳା ଜଣକ ଚମ୍ପା ନିଶିକା (୨୫) ଓରଫ ମିଣିଆକା ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ରତୁନୁ ନିଶିକାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଖବର ପାଇ ଆଜି ସକାଳୁ ରାୟଗଡ ଟାଉନ ଥାନା ଓ କୁମ୍ଭିକୋଟା ଫାଣ୍ଡି ପୋଲିସ ଅଧିକାରୀ,ଡଗସ୍କାର୍ଡ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଏ ନେଇ ରାୟଗଡ ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ଫୁଲୁଗୁଡା ଗ୍ରାମର ରତୁନୁ ନିଶିକା ନିଜ ଦ୍ୱିତୀୟ ସ୍ତ୍ରୀ ଚମ୍ପା ନିଶିକା(୨୫) ଓରଫ୍ ମିଣିଆକା ଓ ସାତ ମାସର ସନ୍ତାନକୁ ନେଇ ରହି ଆସୁଛି । ତେବେ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିବା ବେଳେ ଗତକାଲି ରାତିରେ ରତୁନୁ ଶୋଇଥିବା ବେଳେ ସ୍ତ୍ରୀ ଚମ୍ପା ତାକୁ ଉଠାଇବାରୁ ରତୁନୁ ଉତ୍ୟକ୍ତ ହୋଇ ଘରେ ଥିବା ଏକ ଶାବଳରେ ଚମ୍ପାର ମୁଣ୍ଡ ଓ ବେକକୁ ବାରମ୍ବାର ଆକ୍ରମଣ କରିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ଚମ୍ପାର ପ୍ରାଣବାୟୁ ଉଡିଯାଇଥିଲା । ଆଜି ସକାଳେ ଖବର ଜଣାପଡିବା ପରେ ଫୁଲୁଗୁଡା ଗ୍ରାମରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ରତୁନୁକୁ ରାୟଗଡ ଥାନାକୁ ଆଣି ଅଟକ ରଖି ଅଧିକ ଜେରା କରୁଥିବାବେଳେ ମୃତ ଚମ୍ପାର ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡିଛି । ରାୟଗଡ ଥାନାରେ କେସ ନମ୍ବର ୧୩୦/୧୬/୬/୨୧ୟୁ/ଏସ ଆଇପିସି ୩୨୦ ଧାରା ପ୍ରକାରେ ରାୟଗଡ ଆଇୟୁସିଏଡବ୍ଳ୍ୟୁ ଡିଏସପି ଉଲ୍ଳାସ ମାଝି ଘଟଣାର ତଦନ୍ତ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ବେଳେ ଘଟଣାସ୍ଥଳରେ ରାୟଗଡ ଟାଉନ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ,ଏସ.ଆଇ.ଶିବ ଶଙ୍କର ସାହୁ,ସୈାମ୍ୟରଂଜନ ପତି,କୁମ୍ଭିକୋଟା ଫାଣ୍ଡି ଅଧିକାରୀ ଏସ.ଆଇ.ପିତାମ୍ବର ଶବର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି ରତୁନୁର ପ୍ରଥମ ସ୍ତ୍ରୀ ଓ ତିନି ସନ୍ତାନ ଉକ୍ତ ଗ୍ରାମରେ ହିଁ ତାହାର ଘର ସମ୍ମୁଖରେ ରହୁଥିବା ଜଣାପଡିଛି ।